ବ୍ରିଜ ମରାମତି ବେଳେ ଅଘଟଣ : ୨ ମୃତ, ଜଣେ ଗୁରୁତର

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ତମିଆଁ ମୁନ୍ଦଲସର ବ୍ରିଜ ଆଜି ମରାମତି ବେଳେ ଭୁଶୁଡି ପଡିଛି । ବ୍ରିଜ୍ ଭୁଶୁଡିବା ପରେ ଏଥିରେ ନିୟୋଜିତ ୨ଜଣ ଶ୍ରମିକ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତ ଦୁଇ ମାସ ପୂର୍ବରୁ ଏହି ବ୍ରିଜର ଏକ ପିଲର ଦବି ଯାଇଥିଲା । ଏହାର ମରାମତି କାର୍ଯ୍ୟ ଚାଲିଥିବା ବେଳେ ଆଜି ଏହି ଅଘଟଣ ଘଟିଛି । ଶୁଣାଯାଉଛି ଯେ, ସଂପୃକ୍ତ ଠିକାଦାର ବାହାର ରାଜ୍ୟରୁ ଶ୍ରମିକ ଆଣି ପିଲର ମରାମତି କାର୍ଯ୍ୟ ଆରମ୍ଭ କରିଥିଲା । ଏଠାରେ ପ୍ରଶ୍ନଉଠୁଛି ଯେ, ଲକଡାଉନ ସତ୍ତ୍ୱେ ସଂପୃକ୍ତ ଠିକାଦାର କିପରି ଭାବେ ବାହାର ରାଜ୍ୟରୁ ଏହି ଶ୍ରମିକମାନଙ୍କୁ ଆଣି କାମରେ ନିୟୋଜିତ କରିଥିଲେ ତାହା ତଦନ୍ତ ସାପେକ୍ଷ । ସରକାର ନିର୍ମାଣ କାର୍ଯ୍ୟକୁ ଲକଡାଉନରୁ ବାଦ ଦେଇଥିଲେ ମଧ୍ୟ ବାହାର ରାଜ୍ୟର ଶ୍ରମିକଙ୍କୁ ନିୟୋଜିତ କରିବାକୁ ବାରଣ କରିଛନ୍ତି । କିନ୍ତୁ ସଂପୃକ୍ତ ଠିକାଦାର ସରକାରଙ୍କ ନିୟମକୁ ବେଖାତିର କରିଥିବା ଅଭିଯୋଗ ହେଉଛି । ଘଟଣାସ୍ଥଳରେ ଲରମ୍ଭା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଜଣାପଡିନାହିଁ ।

ସୂଚନାଯୋଗ୍ୟ ତମିଆଁ ମୁନ୍ଦଲସର ବ୍ରିଜ ୨୦୧୩-୧୪ ମସିହାରେ ଟେଣ୍ଡର ପାଇଁ ଆହ୍ୱାନ କରାଯାଇଥିଲା । ଆରଆଇଡିଏଫ୍ ଯୋଜନାରେ ୬କୋଟି ୯୯ଲକ୍ଷ ୯୭ହଜାର ୨୭୮ଟଙ୍କା ମଞ୍ଜୁର ହୋଇଥିଲା । ଗତ ୨୦୧୪ ଜାନୁଆରୀ ୭ ତାରିଖରେ ତତକାଳୀନ ବିଧାୟକ ଭିତ୍ତିପ୍ରସ୍ଥର ସ୍ଥାପନ କରି ଫେବୃଆରୀ ୨୬ରୁ କାମ ଆରମ୍ଭ ହୋଇଥିଲା । ୨୦୧୬ ମସିହା ଜାନୁଆରୀ ୨୫ ତାରିଖ ଦିନ ଏହାର କାମ ସଂପୂର୍ଣ୍ଣ ହୋଇଥିଲା । ଏହି ବ୍ରିଜର କାମ ପାଇଁ ସଂପୃକ୍ତ ଠିକାଦାରକୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଦୁର୍ଘଟଣା ପରେ ଅସାଧୁ ଠିକାଦାରଙ୍କ ଲାଇସେନ୍ସ ବାତିଲ ସହ ଗିରଫ କରିବାକୁ ଅଂଚଳରେ ଦୃଢ ଦାବି ହେଉଛି ।

Comments (0)
Add Comment