ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ଶିଶୁମାନଙ୍କୁ ରକ୍ଷା ପାଇଁ ନିମୋକୋକାଲ କଞ୍ଜୁଗେଟ ଟୀକା (ପି.ସି.ଭି.)ର ଶୁଭାରମ୍ଭ

ଦେବଗଡ଼, ୩୦ା୬: ନିୟମିତ ଟୀକାକରଣ କାର୍ଯ୍ୟକ୍ରମ ଅଧିନରେ ଆଜି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ନିମୋକୋକାଲ କଞ୍ଜୁଗେଟ ଟୀକା (ପି.ସି.ଭି.)ର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଏକ ସୁଦୃଶ୍ୟ କେନୋପିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ମନୋଜ କୁମାର ଉପାଧ୍ୟାୟ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟୀକାକରଣ କେନ୍ଦ୍ରଠାରେ ଏକବର୍ଷ ମଧ୍ୟରେ ଥିବା ପିଲାମାନଙ୍କୁ ଟୀକାକରଣ କରାଯାଇଛି । ପର୍ଯ୍ୟାୟକ୍ରମେ ଜିଲ୍ଲାର ସମସ୍ତ ୦-୧ ବର୍ଷର ପିଲାଙ୍କୁ ପ୍ରତ୍ୟେକ ଟୀକାକରଣ କେନ୍ଦ୍ରରେ ଟୀକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଜନ ସଚେତନତା ପାଇଁ ପୋଷ୍ଟର, ଲିଫ୍‌ଲେଟ୍‌, ପୋଷ୍ଟକାର୍ଡ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି । ପି.ସି.ଭି. ଏକ ସୁରକ୍ଷିତ ଟୀକା ଅଟେ । ଅନ୍ୟ ଟୀକା ପରି ଏହି ଟୀକା ନେବା ପରେ ମଧ୍ୟ ପିଲାଙ୍କୁ ସାମାନ୍ୟ ଜ୍ୱର ବା ଟୀକା ନେବା ଜାଗାରେ ନାଲି ପଡିବା ଆଦି ହୋଇପାରେ । ଏହି ଟୀକା ପିଲାମାନଙ୍କୁ ନିମୋକୋକାଲ ଜୀବାଣୁ ଜନିତ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ଦେଇଥାଏ । ଶିଶୁକୁ ଏହି ଟୀକାର ପ୍ରଥମ ମାତ୍ରା ଦେଢମାସ, ଦ୍ୱିତୀୟ ମାତ୍ରା ସାଢେ ତିନିମାସ ଏବଂ ବୁଷ୍ଟର ମାତ୍ରା ନଅ (୯) ମାସରେ ଦିଆଯିବ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପରିବାର କଲ୍ୟାଣ ଡଃ. ଧନୁର୍ଯ୍ୟୟ ମହାନ୍ତ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜନସ୍ୱାସ୍ଥ୍ୟ ଡଃ. ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଯକ୍ଷ୍ମା ଡଃ. ପ୍ରଭାତ କୁମାର ଓଝା, ଡି.ପି.ଏମ. ଉମେଶ ଷଡଙ୍ଗୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ନରେଶ ଚନ୍ଦ୍ର ଦାଶ, ଡି.ଭି.ଏଲ.ଏମ. ଜ୍ୟୋସ୍ନା ରାଣୀ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment