ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କ ପରଲୋକ

ବ୍ରହ୍ମପୁର : ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବଙ୍କ ପରଲୋକ ହୋଇଯାଇଛି । ବୁଧବାର ବିଳମ୍ବିତ ରାତ୍ରିରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ସେ ୮୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଉଦୟ ନାରାୟଣ ୧୯୩୫ ମସିହା ଅକ୍ଟୋବର ମାସ ୨୦ ତାରିଖରେ ପୋଡାମାରି ଗଡରେ ଜନ୍ମ ହୋଇଥିଲେ । ୧୯୭୪, ୧୯୭୭ ଓ ୧୯୮୦ ମସିହାରେ ସେ ମୋହନା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୪ରେ ଉଦୟ ନାରାୟଣ ଦେବ ଉତ୍କଳ କଂଗ୍ରେସ ଟିକେଟ୍‌ରେ ବିଜୟ ହୋଇଥିବା ବେଳେ ୧୯୭୭ରେ ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ୧୯୮୦ରେ ସେ ଜନତା ପାର୍ଟି (ସେକ୍ୟୁଲାର) ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାଛଡ଼ା ଜଣେ ବିହଙ୍ଗ ବିଜ୍ଞାନୀ ଭାବେ ତାଙ୍କର ବେଶ୍‌ ଖ୍ୟାତି ରହିଥିଲା । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ସେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

Comments (0)
Add Comment