ଉପ-ମୁଖ୍ୟମନ୍ତୀଙ୍କର ବଲାଙ୍ଗିର ଜିଲ୍ଲାର କୃଷି କ୍ଷେତ୍ରପାଇଁ ଡ୍ରୋନ ଲୋକାର୍ପଣ

ବଲାଙ୍ଗିର : ଉପ-ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି କନକ ବର୍ଦ୍ଧନ ସିଂ ଦେଓ, ଓଡ଼ିଶା ସରକାର ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିର ଜିଲ୍ଲାର କୃଷି କ୍ଷେତ୍ରପାଇଁ ଦୁଇଟି ଡ୍ରୋନ ଲୋକାର୍ପଣ କରିଛନ୍ତି। କୃଷି କ୍ଷେତ୍ରରେ ବ୍ୟବହାର ପାଇଁ ଇଫକୋ ତରଫରୁ ଦୁଇଟି ଡ୍ରୋନ ପ୍ରଦାନ କରାଯାଉଛି। ଆଜି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଲୋଇସିଂହା ବ୍ଲକର ମା ମହଦାଶନି ଏବଂ ପୁଇଁତଲା ବ୍ଲକର ପୁଇଁତଲା ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ (FPO)ଙ୍କ ଜରିଆରେ ଦୁଇଟି ଡ୍ରୋନ ଲୋକର୍ପଣ କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ସହାୟତାରେ ଦଶ ହଜାର କୃଷକ ଉତ୍ପାଦକ କମ୍ପାନୀ (FPO) ଗଠନ ଯୋଜନା କାର୍ଯକାରୀ ହେଉଛି । କାର୍ଯକାରୀ ସଂସ୍ଥା ନାବାର୍ଡ ଏବଂ ସିବିବିଓ ମହାଶକ୍ତି ଫାଉଣ୍ଡେସନ ଦ୍ଵାରା ଜିଲ୍ଲାର ଏଗାରଟି ବ୍ଲକରେ ୧୧ ଗୋଟି କୃଷକ ଉତ୍ପାଦକ କମ୍ପାନୀ (FPO) ଗଠନ କରାଯାଇଛି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଲା କୃଷକମାନଙ୍କ ଆୟ ବହୁଗୁଣିତ କରିବା। ଏଥିପାଇଁ ବିଭିନ୍ନ କାର୍ଯକ୍ରମ ହାତକୁ ନିଆଯାଇଛି ଯେମିତିକି – କୃଷକମାନଙ୍କୁ ସଂଗଠିତ କରି ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଏକତ୍ରିକରଣ କରିବା, ପ୍ରକ୍ରିୟାକରଣ ଏବଂ ମୂଲ୍ୟଯୁକ୍ତ କରିବା, ବଜାର ବ୍ୟବସ୍ଥା କରାଇବା ଏବଂ ନିଜ ଉତ୍ପାଦିତ ଦ୍ରବ୍ୟର ଦର ନିର୍ଦ୍ଧାରଣରେ କୃଷକମାନଙ୍କ ଭୂମିକା ସୁନିଶ୍ଚିତ କରିବା। ଏହି କ୍ରମରେ ବର୍ତ୍ତମାନ ଜିଲ୍ଲାର FPO ଗୁଡିକ ନିଜ ଜମାପୁଞ୍ଜି ବା ଅଂଶଧନରେ ସାର, ବିହନ ଏବଂ କୀଟନାଶକର ବ୍ୟବସ୍ଥା କରୁଛନ୍ତି। ଆବଶ୍ୟକସ୍ଥଳେ ନବକିସାନଠାରୁ କମ ସୁଧରେ ଋଣ ସହାୟତା ମଧ୍ୟ ନେଉଛନ୍ତି ।

ଜିଲ୍ଲାର କୃଷି ଏବଂ ଉଦ୍ୟାନ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ଇଫକୋ ତଥା ଅନ୍ୟ ସମସ୍ତ ବିଭାଗ ସହିତ ଉତ୍ତମ ସମନ୍ଵୟ ରକ୍ଷାକରି ଏହି କାର୍ଯକ୍ରମ ଆଗେଇଚାଲିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ପ୍ରାୟ ଆଠ ହଜାର କୃଷକ ଏହି ଯୋଜନାରେ ସାମିଲ ହୋଇ କୃଷକ ଉତ୍ପାଦକ କମ୍ପାନୀଗୁଡିକର ଅଂଶୀଦାର ହୋଇସାରିଛନ୍ତି। ଏହି ଲୋକାର୍ପଣ କାର୍ଯକ୍ରମରେ ଉପମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଗୌରଭ ଶିବାଜୀ ଇଶାଲୱାର (ଭାପ୍ରସେ) ଜିଲ୍ଲାପାଳ ବଲାଙ୍ଗିର, ଡିଆଇଜି ହିମାଂଶୁ ଲାଲ, ବଲାଙ୍ଗୀର ଏସ ପି, ବିବେକ କୁମାର ନାଏକ ଡିଡିଏମ ନାବାର୍ଡ, ବାବୁଲି ଚରଣ ସେଠୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ପ୍ରଫୁଲ୍ଲ କୁମାର ଭଞ୍ଜ ଉପ ନିର୍ଦେଶକ ଉଦ୍ୟାନକୃଷି ବଲାଙ୍ଗିର, ସୁରଜ ମହାନ୍ତି କ୍ଷେତ୍ର ଅଧିକାରୀ ଇଫକୋ, ହୃଷୀକେଶ ସାହୁ ବରିଷ୍ଠ ପରିଚାଳକ ମହାଶକ୍ତି ଫାଉଣ୍ଡେସନ ପ୍ରମୁଖ ଯୋଗଦାନ କରିଥିଲେ।

Comments (0)
Add Comment