ବରଗଡ଼ ଧନୁଯାତ୍ରା: ଏଥର କଂସ ହୃଷିକେଶ

ବରଗଡ଼ : ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ମୁକ୍ତକାଶ ମଞ୍ଚରେ ପରିବେଶିତ ବରଗଡ଼ ଧନୁ ଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ । ଗତକାଲି ବିଳମ୍ବିତ ରାତିରେ କଂସ ଭୂମିକା ପାଇଁ ହୃଷିକେଶଙ୍କ ନାଁରେ ମୋହର ମାରିଛନ୍ତି ଚୟନ କମିଟି ସଭାପତି ବରଗଡ ଏଡିଏମ ମିର୍ଦ୍ଧା ଟପୋ।
ଧନୁ ଯାତ୍ରା ମଞ୍ଚ ହୃଷିକେଶଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ କଂସ ଭୂମିକାରେ ହୃଷିକେଶଙ୍କ ଅଭିନୟକୁ ୯ ବର୍ଷ ଦେଖିଛି ସାରା ଓଡ଼ିଶା। ହେଲେ ମଝିରେ ୩ ବର୍ଷ କଂସ ଭୂମିକା ହାତେଇବାରେ ପଛେଇ ଯାଇଥିବା ହୃଷିକେଶ କିନ୍ତୁ ଏଥର ପୁଣି ଥରେ ପିନ୍ଧିବେ କଂସର ମୁକୁଟ ।
ଚଳିତ ବର୍ଷ କଂସ ଭୂମିକା ହାତେଇ ବେଶ୍‌ ଖୁସି ଥିବା ହୃଷିକେଶ ଭୋଇ ନିଜ ଜୀବନ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବେ ବୋଲି ବେଶ୍‌ ଆଶବାଦୀ ଅଛନ୍ତି। ଗତ ୩ ଦିନ ଧରି ଧନୁ ଯାତ୍ରା କଳାକାର ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଗତକାଲି ଥିଲା କଂସ ଚୟନ । ଏଥର କଂସ ପାଇଁ ୪୨ ଜଣ କଳାକାର ଅଡିସନ୍‌ରେ ସାମିଲ ହୋଇଥିଲେ ।
ବିଚାରକ ମଣ୍ଡଳୀ ଦ୍ୱାରା ମୋତେ ଦିଆଯାଇଥିବା ଅଡିସନ ବିନା ଡାଏଲଗରେ ନୃତ୍ୟ ନାଟିକାରେ ପ୍ରଦର୍ଶୀତ କରିଥିଲି। କୃଷ୍ଣ ମୋ ହୃଦୟରେ ଅଛନ୍ତି। ହେଲେ ତାଙ୍କୁ ଖୋଜିଖୋଜି ମୁଁ ପାଗଳ ହୋଇଯାଇଥିବାର ଅଭିନୟ ବିଚାରକ ମଣ୍ଡଳୀ ମଧ୍ୟରେ ବେଶ୍‌ ଆଦୃତି ଲାଭ କରିଥିଲା। ଉକ୍ତ ନାଟକରେ ଏତେ ମଜ୍ଜି ଯାଇଥିଲି ଯେ, ଲାଗୁଥିଲା ସତେ ଯେପରି ମୋ’ ସାମନାରେ ବିଚାରକ ନୁହନ୍ତି, ସାଧାରଣ ଦର୍ଶକ ବସିଛନ୍ତି ବୋଲି କହିଛନ୍ତି ହୃଷିକେଶ ।
କଂସ ବ୍ୟତିତ ଅନ୍ୟ ୧୦ଟି ଚରିତ୍ର ପାଇଁ ବି ଚୂଡ଼ାନ୍ତ ହୋଇଛନ୍ତି କଳାକାର । ମହାମନ୍ତ୍ରୀ ପାଇଁ ଗୋଲାପ ଚନ୍ଦ୍ର ଦାସ, ସାର୍ତକୀ ପାଇଁ ସେବାନନ୍ଦ ନାୟକ, ସେନାପତି ପାଇଁ ଦୟାନନ୍ଦ ମାଝୀ, ଚାଣୂର ପାଇଁ ମୁନେଶ ଚନ୍ଦ୍ର ଆଚାର୍ୟ୍ୟ ଭଳି କଳାକାରଙ୍କୁ ଚୟନ କରାଯାଇଛି । ଅକ୍ରୁର ଓ ନାରଦ ଚରିତ୍ର ପାଇଁ ଜଗନ୍ନାଥ ସାହୁଙ୍କୁ ଚୟନ କରାଯାଇଛି ।

Comments (0)
Add Comment