ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

ସମ୍ବଲପୁର : ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍ବ ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ସମ୍ପର୍କିତ ଏକ ସମୀକ୍ଷା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଚଳିତବର୍ଷ ଘଟିଥିବା ଦୁର୍ଘଟଣା ସମ୍ପର୍କରେ ମିଳିତ ପ୍ରବର୍ତ୍ତନ ରିପୋର୍ଟ, ଜାତୀୟ /ରାଜ୍ୟ ରାଜପଥର ନିର୍ମାଣ ଓ ମରାମତି, ସ୍ଥାନୀୟ ନକ୍ସାପାଲିରୁ ସିନ୍ଦୁରପଙ୍କ ଅଞ୍ଚଳ, ପଡିଆବାହାଲରୁ ଗୋଶାଳା, ରେମେଡରୁ ଅଇଁଠାପାଲି ଛକ ଆଦି ଅଞ୍ଚଳରେ ଥିବା ରାସ୍ତା ଜନିତ ସମସ୍ୟା, ସର୍ଭିସ ରୋଡରେ ପାର୍କିଂ ସମସ୍ୟା, ବୁଲା ଗାଈଗୋରୁ ସମସ୍ୟା, ଟ୍ରାଫିକ୍ ଲାଇଟ୍ ସମସ୍ୟା, ଗୁଡ୍ ସମରିଟାନ୍ ଆୱାର୍ଡ ବିଷୟରେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସମସ୍ତ ସରକାରୀ ଅଧିକାରୀ, ବିଭିନ୍ନ ଶିଳ୍ପର ଅଧିକାରୀ, ନାଗରିକ ସମାଜର ବ୍ଯକ୍ତି ବିଶେଷଙ୍କୁ ସମସ୍ୟାର ବ୍ୟବହାରିକ ସମାଧାନ କରିବା, ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କର୍ତ୍ତବ୍ୟ ପରିସର ବାହାରେ ଯିବା ଓ ପ୍ରବର୍ତ୍ତନ ଟିମକୁ ସୁଦୃଢ଼ କରିବା ପାଇଁ ଉଦ୍ବୋଧନ ଦେଇଥିଲେ। ଆରଟିଓ ଓ ପୁଲିସର ମିଳିତ ସର୍ପ୍ରାଇଜ ଭିଜିଟ, ଦୁର୍ଘଟଣା ପ୍ରବଣ ଅଞ୍ଚଳ ନିକଟରେ ଏକ ସିଗନାଲ୍ ବୋର୍ଡ ଦେବା ସହ ଜାତୀୟ ଓ ରାଜ୍ୟ ରାଜପଥରେ ପରିଲକ୍ଷିତ ଛୋଟ ଛୋଟ ଗର୍ତ୍ତର ଶୀଘ୍ର ମରାମତି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ବୈଠକରେ ଅତିରିକ୍ତ ପୁଲିସ ଅଧିକ୍ଷକ ଅଲବିନସ କେର୍କେଟା, ଆଇଟିଓ ରାମଦାସ ଟୁଡୁ ଓ ଅତିରିକ୍ତ ଆରଟିଓ କାହ୍ନୁ ଚରଣ ବାନରା ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ।

Comments (0)
Add Comment