ବୌଦ୍ଧ,୪/୩:- ଜିଲ୍ଲା ଷ୍ଟାଡିୟମ ଠାରେ ବୌଦ୍ଧଜିଲ୍ଲା ଫୁଟବଲ୍ ଆସୋସିଏସନ ଦ୍ୱାରା ଆୟୋଜିତ ଓ ଏଆଇଏଫଏଫ ନୂଆଦିଲ୍ଲୀ ଓ ଫାଓ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମର୍ଯ୍ୟାଦାଜନକ ୧୬ତମ ସର୍ବଭାରତୀୟ ଡିଏସ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଗ୍ରୁପ ‘ଏ’ର ପ୍ରଥମ ସେମିଫାଇନାଲ ମ୍ୟାଚ ଏମଇଜି ସେଣ୍ଟର ବାଙ୍ଗାଲୋର ଓ ବରଗଡ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ମ୍ୟାଚ୍ ଅତି ସଂଘର୍ଷପୂର୍ଣ୍ଣ ଥିବାବେଳେ ମଧ୍ୟାନ୍ତର ସୁଦ୍ଧା କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ଖେଳର ଦ୍ୱିତୀୟାର୍ଦ୍ଧରେ ୮୫ ମିନିଟରେ ବରଗଡ ଦଳର ୧୧ ନଂ ଜର୍ସି ଆକାଶ ବାଗ ଗୋଟିଏ ଗୋଲ୍ ଦେଇଥିବାବେଳେ (୯୦+୨) ମିନିଟରେ ବାଙ୍ଗାଲୋର ଦଳର ୩୮ ନଂ ଜର୍ସି ଅମାଲ ଗୋଟିଏ ଗୋଲ୍ ଦେଇ ଖେଳକୁ ବରାବର ରଖିଥିଲେ । ଫଳରେ ଟାଇବେକର ସହୟତା ନିଆଯାଇଥିଲା । ଏଥିରେ ୫-୩ ଗୋଲ୍ରେ ବାଙ୍ଗାଲୋର ଦଳ ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି ।

ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ସୌମିତ୍ରୀ କୁମାର ନାୟକ, ନାଗରିକ କମିଟି ସଂପାଦକ ବିଶ୍ୱେଶ୍ୱର ପୃଷ୍ଟି, ପୂର୍ବମଧ୍ୟକ୍ଷେତ୍ର ଏଲଆଇସି ସଂପାଦକ ଶୁଭେନ୍ଦୁ ପଟ୍ଟନାୟକ ଓ ଡିଏସ୍ କପ୍ ଆବାହକ ଓମ୍ ପ୍ରକାଶ ମିଶ୍ର ଯୋଗଦେଇ ଖେଳାଳୀମାନଙ୍କ ସହିତ ପରିଚିତ ହୋଇଥିଲେ । ଅତିଥିମାନଙ୍କସହିତ ଜିଲ୍ଲା ଫୁଟ୍ବଲ୍ ଆସୋସିଏସନର ସଭାପତି ଲମ୍ବୋଦର ପୁରୋହିତ ଓ ସଂପାଦକ ଯୁଗଳ କିଶୋର ସାମଲ ମଂଚାସୀନ ଥିଲେ । ଆଜିର ଏହି ମ୍ୟାଚକୁ ମୁଖ୍ୟରେଫରୀ ଭାବେ ଜାତୀୟ ରେଫରୀ ତରୁଣ କୁମାର ବିଶ୍ୱାସ ପରିଚାଳନା କରିଥିବାବେଳେ ଲାଇନରେ ଦିଲ୍ଲୀପ କୁମାର ରାଉତ ଏବଂ ଶଶିକାନ୍ତ ଦାସିଆ ସହାୟତା କରିଥିଲେ । ସେହିପରି ଚତୁର୍ଥ ରେଫରୀ ଭାବେ ସଲିଳ ବେହେରା ମ୍ୟାଚ ପରିଚାଳନା କରିଥିବାବେଳେ ମ୍ୟାଚ କମିଶନର ଭାବେ ଦୁର୍ଗା ମାଧବ ନାଏକ ଦାୟିତ୍ୱ ତୁଲାଇଥିଲେ । ମ୍ୟାଚର ଧାରା ବିବରଣୀ ଜିଲ୍ଲା ଫୁଟବଲ ସଂଘ ସଦସ୍ୟ ବିଭୁତି ଭୂଷଣ ବେହେରା ପ୍ରଦାନ କରିଥିଲେ । ଆସନ୍ତାକାଲି ଗ୍ରୁପ ‘ବି’ର ପ୍ରଥମ ମ୍ୟାଚ ଫାଓ କଟକ ଓ ନ୍ୟୁ ସ୍ପୋର୍ଟିଂ କ୍ଲବ ଛତିଶଗଡ ମଧ୍ୟରେ ଅନୁଷ୍ଠିତ ହେବ । ଆଜିର ପ୍ରଥମ ସେମି ଫାଇନାଲ ମ୍ୟାଚ ଦେଖିବାପାଇଁ ବହୁସଂଖ୍ୟାରେ ଦର୍ଶକ ଉପସ୍ଥିତ ରହିଥିଲେ ।