ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼,ତୁମୁଡିବନ୍ଧ ଓ ବେଲଘର ବନାଞ୍ଚଳରେ ହାତୀ ଆତଙ୍କ । ଏକ ସପ୍ତାହରରୁ ଉର୍ଦ୍ଧ୍ବ ହେବ କୋଟଗଡ଼ ବନାଞ୍ଚଳରେ ୮ଟିକିଆ ହାତୀପଲ ଉତ୍ପାତ ମଚେଇଥିବା ବେଳେ ବେଲଘର ଓ ତୁମୁଡ଼ିବନ୍ଧ ବନାଞ୍ଚଳର ବେଲଘର,ଝିରିପାଣି,ଭଣ୍ଡରଙ୍ଗି,ଲଙ୍କାଗଡ଼ ଅଞ୍ଚଳରେ ମଧ୍ୟ ୨୦ ରୁ ଉର୍ଦ୍ଧ୍ୱ ହାତୀ ଚଳପ୍ରଚଳ କରିବା ସହ ଅନେକ ଲୋକଙ୍କ ବିରି,ମୁଗ,କପା ଫସଲ ନଷ୍ଟ କରିଥିବା ଜଣାପଡ଼ିଛି । ସେପଟେ ହାତୀପଲର ଗତିବିଧିକୁ ତୀକ୍ଷ୍ଣ ନଜର ରଖିଥିବା ବେଳେ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଥିବା ସହ ଡ଼ାକବାଜି ଯନ୍ତ୍ର ଦ୍ବାରା ଅଞ୍ଚଳବାସୀଙ୍କୁ ସଚେତନ କରୁଛି ବନବିଭାଗ । କୋଟଗଡ଼ ବନାଞ୍ଚଳରେ ୮ଟିକିଆ ହାତୀପଲ ବର୍ତ୍ତମାନ ସମୟରେ କେସ୍ରାଗୁଡ଼ା ନିକଟସ୍ଥ ଡେଙ୍ଗୁଡ଼ା ଗାଁ ଜଙ୍ଗଲରେ ଥିବା ଜଣାପଡ଼ିଛି । ଅନ୍ୟପଟେ ବେଲଘର ଓ ତୁମୁଡ଼ିବନ୍ଧ ବନାଞ୍ଚଳର ଝିରିପାଣି ଓ ଲଙ୍କାଗଡ଼ ଅଞ୍ଚଳରେ ୨୦ ରୁ ଉର୍ଦ୍ଧ୍ୱ ହାତୀ ଚଳପ୍ରଚଳ କରୁଥିବା ସୂଚନା ମିଳିଛି । ସେପଟେ ହାତୀକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଉଛି ।