ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ତେନ୍ତୁଳିଖୁଣ୍ଟି:- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଅନ୍ତର୍ଗତ କଣ୍ଟାଗାଁ ଗ୍ରାମ୍ୟ ଜଙ୍ଗଲ ଠାରେ ଏକ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଗତକାଲି କଣ୍ଟାଗାଁ ଗ୍ରାମର ବୁଦନ ସୌରା ଓ ସୁନାସିର ଦିଶାରୀ ଦୁହେଁ ମିଶି ଜଙ୍ଗଲ ଭିତରେ ଯିବା ସମୟରେ ଏକ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ । ସୁନାଶୀର ଦିଶାରୀ ଜୀବନ ବିକଳରେ ପଳାୟନ କରିଥିଲେ । ଅନ୍ୟ ଜଣ ବୁଦନ ସୌରାଙ୍କ ଗଡ଼ ଭଲ ନଥିବାରୁ ଦୌଡ଼ିକରି ଯାଇପାରିଲେ ନାହିଁ । ଫଳରେ ଜଙ୍ଗଲୀ ଦନ୍ତାହାତୀ ସେଠାରେ ହିଁ ତାଙ୍କୁ ଦଳି ଚକଟି ମାରିଦେଇଥିଲା । ବନ ବିଭାଗୀୟ ଅଧିକାରୀମାନେ ଖବରପାଇ ସେଠାରେ ପହଞ୍ଚିଥିଲେ କିନ୍ତୁ ହାତୀଟି ସେଠାରେ ରହିଥିବାରୁ ବନବିଭାଗର କର୍ମଚାରୀମାନେ ଶବଟିକୁ ଉଦ୍ଧାର କରିବାରେ ଅସମର୍ଥ ହେଇଥିଲେ । ଆଜି ସକାଳେ ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ନିଆଯାଇଛି । ଗତ ସୋମବାର ରାତ୍ରିରେ ପାତ୍ରପୁଟ ପଞ୍ଚାୟତ ଅନ୍ତର୍ଗତ ପଡେଇଗୁଡା ଗ୍ରାମର ଶ୍ରୀ ପର୍ଶୁରାମ ବିଷୋୟୀଙ୍କ ଚାରୋଟି ନଡ଼ିଆ ଗଛ ନଷ୍ଟ କରିଥିବାବେଳେ ସେହି ଗ୍ରାମର ବୁଦୁରାମ ଭତରାଙ୍କ କଦଳୀ ବାଡ଼ ନଷ୍ଟ କରିଛି । ପୁଣି ମଙ୍ଗଳବାର ରାତ୍ରିରେ କଣ୍ଟାଗାଁ ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୁଡା ଗ୍ରାମର ବାଂଛାନିଧି ଟାକ୍ରିଙ୍କ ନର୍ସରୀରେ ଥିବା କଦଳୀବାଡ଼କୁ ମଧ୍ୟ ନଷ୍ଟ କରିଛି । ଏ ସମସ୍ତ ଖବର ଶୁଣି ଲୋକଙ୍କ ମନରେ କୋକୁଆଭୟ ସୃଷ୍ଟି ହେଉଛି । ଦେଖିବାକୁ ବାକି ରହିଲା ବନ ବିଭାଗ କର୍ମଚାରୀମାନେ କେବେ ହାତୀକୁ ଘଉଡ଼ାଇ ଲୋକଙ୍କୁୁ ଭୟମୁକ୍ତ କରୁଛନ୍ତି ।

Comments (0)
Add Comment