ସରକାରୀ ଅର୍ଥ ଆତ୍ମସାତ୍‌ ମାମଲା, ପୁଣି ଜେଲଗଲେ ସିଧାମୂଳା ପୂର୍ବତନ ସରପଞ୍ଚ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ,ଖଣ୍ଡପଡ଼ା ବ୍ଲକ୍‌ ଅନ୍ତର୍ଗତ ସିଧାମୂଳା ପଞ୍ଚାୟତର ପୂର୍ବତନ ସରପଞ୍ଚ କୈଳାସ ଚନ୍ଦ୍ର ଦଳେଇ ସରକାରୀ ଅର୍ଥ ଆତ୍ମସାତ୍‌ ମାମଲାରେ ଦ୍ୱିତୀୟ ଥର ପାଇଁ ଜେଲ୍‌ ଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ସରପଞ୍ଚ ଭାବେ କୈଳାସ ଚନ୍ଦ୍ର ଦଳେଇ ୨୦୧୨ରରୁ ୨୦୧୭ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ବେଳେ ଜାଲ୍‌ କାଗଜାତ୍‌ କରି ମୋଟ ୧୭ଲକ୍ଷ ୩୧ ହଜାର ୫୦୦ ଟଙ୍କା ହଡ଼ପ୍‌ କରିଥିବା ସମ୍ପର୍କରେ ଖଣ୍ଡପଡ଼ା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଖଣ୍ଡପଡ଼ା ଥାନାରେ ତାଙ୍କ ନାମରେ ଲିଖିତ ଅଭିଯୋଗ କରାଯାଇଥିଲା । ଖଣ୍ଡପଡ଼ା ଥାନା କେସ୍‌ ନଂ ୩୦୩ / ୨୦୨୦ ଦଫା ୪୦୬ , ୪୦୯ , ୪୧୭ , ୪୨୦ରେ କୈଳାସଙ୍କ ନାମରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରି ତା ୧୫ / ୦୨ / ୨୦୨୧ ରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ୍‌ ନାମଞ୍ଜୁର କାରଣରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା । ଦୀର୍ଘ ୮ମାସ ଜେଲ୍‌ରେ ରହିବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କଠାରୁ ସେ ସର୍ଭମୂଳକ ଜାମିନ୍‌ ପାଇଥିଲେ । କିନ୍ତୁ ଅଦାଲତର ସର୍ତ୍ତକୁ ନ ମାନିବା ଯୋଗୁଁ ଜିଆର ୨୯୩/ ୨୦୨୦ରେ ତାଙ୍କ ନାମେ ଅଦାଲତ ୱାରେଣ୍ଟ ଜାରି କରିଥିଲେ । ଫଳରେ ପୋଲିସ୍‌ ସୋମବାର ଦିନ ତାଙ୍କୁ ଘରୁ ଗିରଫ କରି ପୁନର୍ବାର କୋର୍ଟ ଚାଲାଣ କରିଥିବା ବେଳେ ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ଗୋଟିଏ ମାମଲାରେ ସେ ଦୁଇଥର ନାମନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments (0)
Add Comment