ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା-୨୦୨୨ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଏହି ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହୋଇ ୭ ମେ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ଅର୍ଥାତ୍ ଏପ୍ରିଲ ୨୯ରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ହେବ । ସେହିପରି ମେ ୨ରେ ଗଣିତ, ମେ ୪ରେ ବିଜ୍ଞାନ, ମେ ୫ରେ ପ୍ରଥମ ଭାଷା ପରୀକ୍ଷା । ମେ ୬ରେ ତୃତୀୟ ଭାଷା ସଂସ୍କୃତ / ହିନ୍ଦୀ ଏବଂ ମେ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ।
ଏକ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦେଇ ସଭାପତି ରାମାଶିଷ ହାଜରା କହିଛନ୍ତି ଯେ ଖରାକୁ ଦୃଷ୍ଟିରେ ରଖି ସକାଳେ ପରୀକ୍ଷା କରାଯିବ । ପ୍ରଥମ ସିଟିଂ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ । ଟିଏଲଭି ଓ ଭିଜୁଆଲ ଆର୍ଟସ ଛଡ଼ା ଅନ୍ୟ ସମସ୍ତ ବିଷୟର ପରୀକ୍ଷା ୮୦ ମାର୍କ ବିଶିଷ୍ଟ ହେବ । ପ୍ରତି ପରୀକ୍ଷାର ଅବଧି ୨ ଘଂଟା ରହିବ । କେବଳ ଗଣିତ ପରୀକ୍ଷା ପାଇଁ ୧୫ ମିନିଟ୍ ଅଧିକ ସମୟ ଦିଆଯିବ । ଏହି ୮୦ ମାର୍କ ମଧ୍ୟରୁ ୫୦ ମାର୍କ ସଂକ୍ଷିପ୍ତ ଉତ୍ତରମୂଳକ ଓ ୩୦ ମାର୍କ ଦୀର୍ଘ ଉତରମୂଳକ ରହିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।
୪ଟି ସେଟର ପ୍ରଶ୍ନପତ୍ରରେ ହେବ ପରୀକ୍ଷା । ସଂକ୍ଷିପ୍ତ ପ୍ରଶ୍ନର ଉତର ଓମଏଆର ସିଟରେ ଦେବେ ଛାତ୍ରଛାତ୍ରୀ । ସେହିଭଳି ଦୀର୍ଘ ଉତରମୂଳକ ପ୍ରଶ୍ନର ଉତର ପ୍ରଶ୍ନପତ୍ର ସହ ଥିବା ବୁକଲେଟରେ ଦେବେ ଛାତ୍ରଛାତ୍ରୀ । ଅପରପକ୍ଷରେ ଭୋକେସନାଲ ଟ୍ରେଡର ଛାତ୍ରଛାତ୍ରୀ ମାନେ ୩୦ ନମ୍ବର ଦୀର୍ଘ ଉତରମୂଳକ ପରୀକ୍ଷା ମିଳିଥିବା ବୁକଲେଟରେ ଦେବେ । ବାକି ୫୦ ନମ୍ବରର ପ୍ରାକ୍ଟିକାଲ ପରୀକ୍ଷା ଦେବେ ଭୋକେସନାଲ ଛାତ୍ରଛାତ୍ରୀ । ୨ ଏପ୍ରିଲରୁ ୧୩ ଏପ୍ରିଲ ମଧ୍ୟରେ ଏହି ପ୍ରାକ୍ଟିକାଲ ପରୀକ୍ଷା ହେବ । ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ୩ଟି ବିଷୟରେ ଭିନ୍ନ ଭିନ୍ନ ପ୍ରଶ୍ନପତ୍ର ହେବ । ପାଠ୍ୟକ୍ରମରେ ପରିବର୍ତନ ହୋଇଥିବାରୁ ଭିନ୍ନ ପ୍ରଶ୍ନପତ୍ର ହେବ ।
ସେହିପରି ପିଲାମାନେ ନିଜ ସ୍କୁଲରେ ହିଁ ପରୀକ୍ଷା ଦେବେ । କୌଣସି ସ୍କୁଲରେ ପରୀକ୍ଷା ପାଇଁ ଅସୁବିଧା ଥିଲେ ନିକଟସ୍ଥ ସ୍କୁଲରେ ବ୍ୟବସ୍ଥା କରାଯିବ ।
ଜେନେରାଲ୍ ସାଇନ୍ସ (ଜିଏସ୍ସି) ଓ ସାମାଜିକ ବିଜ୍ଞାନ(ଏସ୍ଏସ୍ସି)ର ୩୦ ମାର୍କର ସବ୍ଜେକ୍ଟିଭ୍ ପରୀକ୍ଷା ପାଇଁ ୪ଟି ପ୍ରଶ୍ନ ରହିବ । କିନ୍ତୁ ଅନ୍ୟ ବିଷୟ ଯେପରି କି, ଓଡ଼ିଆ, ଇଂଲିଶ, ଗଣିତ ଓ ତୃତୀୟ ଭାଷା(ସଂସ୍କୃତ ଏବଂ ହିନ୍ଦୀ)ର ୩୦ ମାର୍କର ସବ୍ଜେକ୍ଟିଭ୍ ପରୀକ୍ଷାରେ ୩ଟି ପ୍ରଶ୍ନ ରହିବ । ଦଶମ ଶ୍ରେଣୀ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ, ଜେନେରାଲ୍ ସାଇନ୍ସ ଓ ସୋସିଆଲ୍ ସାଇନ୍ସ ପାଇଁ ଅଲଗା ଅଲଗା ପ୍ରଶ୍ନ ହେବ ବୋଲି ବୋର୍ଡ ଉପ-ସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି ।
ସେ ଆହୁରି କହିଛନ୍ତି, ଭୋକେସନାଲ୍ ଟ୍ରେଡ୍ ର ଥିଓରୀରେ ଛାତ୍ରଛାତ୍ରୀମାନେ ୩୦ ମାର୍କର ପରୀକ୍ଷା ଦେବେ । ଏହି ୩୦ ମାର୍କ ସବ୍ ଜେକ୍ଟିଭ୍ ପ୍ରଶ୍ନ ରହିବ । ପିଲାମାନେ ଉତରଖାତାରେ ଲେଖିବେ । ଏଥିସହ ସେମାନେ ୫୦ ମାର୍କର ପ୍ରାକ୍ଟିକାଲ୍ ଦେବେ । ଏହି ପ୍ରାକ୍ଟିକାଲ୍ ପରୀକ୍ଷା ପିଲାମାନେ ନିଜ ସ୍କୁଲରେ ଦେବେ । ଓସେପା ପରୀକ୍ଷା ପରିଚାଳନା କରିବ । ଏପ୍ରିଲ ୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୨ ତାରିଖ ସୁଦ୍ଧା ଓସେପା ପରୀକ୍ଷାଫଳ ବୋର୍ଡକୁ ପଠାଇବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମଧ୍ୟମା ପରୀକ୍ଷାରେ ସଂସ୍କୃତ ବ୍ୟାକରଣ ଓ ଦର୍ଶନ, ସଂସ୍କୃତ ସାହିତ୍ୟମ୍, ପ୍ରୟାଗାତ୍ମକ ସଂସ୍କୃତ ଏବଂ ଓଡ଼ିଆ ପାଇଁ ୮୦ ମାର୍କର ପ୍ରଶ୍ନ ଆସିବ । ଯେଉଁଥିରେ ୫୦ ମାର୍କ ମଲ୍ଟିପୁଲ୍ ଚଏସ୍ ଓ ୩୦ ମାର୍କ ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ । ପିଲାମାନେ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନର ଉତର ଓଏମ୍ଆର ଆନ୍ସର ସିଟ୍ ରେ ଦେବେ । ୩୦ ମାର୍କର ସବ୍ଜେକ୍ଟିଭ୍ ପ୍ରଶ୍ନର ଉତର ପ୍ରଶ୍ନ ସଂଲଗ୍ନ ଉତର ଖାତାରେ ଲେଖିବେ । ମଧ୍ୟମା ପିଲାଙ୍କ ପାଇଁ ସିଙ୍ଗଲ୍ ସେଟ୍ ପ୍ରଶ୍ନ ତିଆରି ହୋଇଛି । ଏଥିପାଇଁ ଦୁଇ ଘଂଟାର ସମୟ ରହିବ । ଏହା ବ୍ୟତୀତ ଗଣିତ, ବିଜ୍ଞାନ, ସୋସିଆଲ୍ ସାଇନ୍ସ ଓ ଇଂଲିଶରେ ପିଲାମାନେ ୬୦ ମାର୍କର ପରୀକ୍ଷା ଦେବେ । ୩୦ ମାର୍କ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ଥିବା ବେଳେ ବାକି ୩୦ ମାର୍କ ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ । ତେବେ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନର ଉତର ଓଏମ୍ଆର ସିଟ୍ ରେ ପିଲାମାନେ ଦେବେ । ସବ୍ଜେକ୍ଟିଭ୍ ପ୍ରଶ୍ନର ଉତର ପ୍ରଶ୍ନ ସଂଲଗ୍ନ ଉତର ଖାତାରେ ଲେଖିବେ । ଏଥିପାଇଁ ସମୟ ଅବଧି ଦେଢ଼ ଘଂଟା ରହିବ । କିନ୍ତୁ ଗଣିତ ପାଇଁ ଘଂଟାଏ ୪୫ ମିନିଟ୍ ରହିବ ବୋଲି ବୋର୍ଡ ଉପସଭାପତି ଶ୍ରୀ ମହାନ୍ତି କହିଛନ୍ତି ।
ଉଲ୍ଲେଖନୀୟ ଯେ ଗତ ୧୧ ତାରିଖରେ ମାଟ୍ରିକ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରି କହିଥିଲେ ଯେ ପ୍ରଥମ ପଦ୍ଧତିରେ ସମେଟିଭ୍ ଆସେସମେଂଟ୍ ୧ ଓ ଇଂଟରନାଲ ଆସେସମେଂଟକୁ ଦୁଇ ଗୁଣା କରି ଛାତ୍ରଛାତ୍ରୀଙ୍କ ମାର୍କ ବାହାରିବ । ଦ୍ୱିତୀୟ ପର୍ଯ୍ୟାୟରେ ସମେଟିଭ୍ ଆସେସମେଂଟ୨ ଆଧାରରେ ମାର୍କ ଦିଆଯିବ ।ସମ୍ମେଟିଭ୍-୨ ମାର୍କ ୨ ଗୁଣ କରି ହିସାବ କରାଯିବ । ୩ୟ ପଦ୍ଧତି ହେଉଛି ଇଂଟରନାଲ୍ ଆସେସ୍ମେଂଟର ୨୦% ସମ୍ମେଟିଭ୍-୧ରୁ ୩୦% । ତେବେ ସମ୍ମେଟିଭ୍-୨ରୁ ୫୦ ପ୍ରତିଶତ ନମ୍ୱର ନେଇ ମାର୍କିଂ କରାଯିବ । ବିଭିନ୍ନ ପରୀକ୍ଷା ଫଳ ମିଶାଇ ମାର୍କ ନିର୍ଦ୍ଧାରଣ କରାଯିବ । ଯେଉଁଥିରେ ଛ୍ରାଛାତ୍ରୀ ସର୍ବାଧିକ ନମ୍ବର ରଖିବେ ତାକୁ ହିଁ ଚୂଡାନ୍ତ ଫଳ ବୋଲି ଧରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ ।