କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସଭିର୍ସ୍ (ଓସିଏସସି)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା ୨୯ ତାରିଖଠାରୁ ଆରମ୍ଭ ହେବ । ରାଜ୍ୟର ୫୬୯୦ ପ୍ରାର୍ଥୀ ଏହି ପରୀକ୍ଷା ଦେବେ । ବିଭିନ୍ନ ଜୋନରେ ହେଉଥିବା ଏହି ପରୀକ୍ଷା ଆସନ୍ତା ନଭେମ୍ବର ୭ ତାରିଖରେ ଶେଷ ହେବ । ପରୀକ୍ଷା ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦୁଇଟି ସିଟିଂରେ ହେବ । ଶୁକ୍ରବାରଠାରୁ ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ପାଇପାରିବେ ବୋଲି ଓପିଏସସି ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ଓପିଏସସି ପକ୍ଷରୁ ଜୁନ୍ ୭ରେ ଓସିଏସ୍ ପ୍ରିଲିମ୍ ବା ପ୍ରାଥମିକ ପରୀକ୍ଷା କରାଯାଇଥିଲା । କଟକ, ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ଜୋନରେ ବିଭିନ୍ନ କେନ୍ଦ୍ରରେ ଆଶାୟୀମାନେ ପରୀକ୍ଷା ଦେଇଥିଲେ । ଜୁଲାଇ ୧୦ରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ୫୬୯୦ ପ୍ରାର୍ଥୀ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ କୃତକାର୍ଯ୍ୟ ହୋଇଛନ୍ତି । ସେଥିରୁ ୧୯୦୫ ମହିଳା ପ୍ରାର୍ଥୀ ଅଛନ୍ତି । ସବିଶେଷ ପରୀକ୍ଷା ସୂଚୀ ଓପିଏସସି ୱେବସାଇଟରେ ଜାରି କରାଯାଇଛି ।