ପ୍ରଶାସନର ନିଘା ନାହିଁ : ଦୁର୍ଘଟଣାରେ ଗୁରୁତର ଗାଈର ଚିକିତ୍ସା କରାଇଲେ ଟିମ୍ ହେଲ୍ପର ସଦସ୍ୟ

ବାଲିଗୁଡ଼ା: ଆଜିବି ବଞ୍ଚିଛି ମାନବିକତା । ହିନ୍ଦୁ ଧର୍ମରେ ଗୋ ସେବା କଲେ କୋଟି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଗୋଟିଏ ଦୁର୍ଘଟଣା ଗ୍ରସ୍ତ ଗାଇର ସେବା ଯତ୍ନ କରି ମାନବିକତାର ପରିଚୟ ଦେଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଟିମ୍ ହେଲ୍ପର ସଦସ୍ୟମାନେ । ଖବର ଅନୁଯାୟୀ ଚାରିଦିନ ତଳେ ୫୯ ନଂ ଜାତୀୟ ରାଜପଥ ବାଲିଗୁଡ଼ା ମାଉସି ମା\’ମନ୍ଦିର ନିକଟରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ଗାଈ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ି ଛଟପଟ ହେଉଥିଲା । ଏଥିପ୍ରତି କେହି ଜଣେ ମଧ୍ୟ ଧ୍ୟାନ ଦେଇନଥିବା ବେଳେ ଟିମ୍ ହେଲ୍ପର ସଦସ୍ୟମାନେ ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲେ । ଗାଈଟିର ଅବସ୍ଥା ଦେଖି ତୁରନ୍ତ ପ୍ରାପ୍ତି ଚିକିତ୍ସକଙ୍କୁ ଡକାଇ ଚିକିତ୍ସା କରାଇବା ସହ ଗାଈର ସେବା ସୁଶୃସାରେ ଲାଗିପଡିଛନ୍ତି । ଟିମ୍ ହେଲ୍ପର ଏଭଳି ମହତ ଉଦ୍ଦେଶ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।

ସେପଟେ ଦୀର୍ଘ ବର୍ଷ ଧରି ୫୯ନଂ ଜାତୀୟ ରାଜପଥ ବାଲିଗୁଡ଼ା ସହରର ମୁଖ୍ୟ ରାସ୍ତା ଓ ବଜାରରେ ପଲ ପଲ ଗାଈ ଗୋରୁ ଦିନରେ ଚଳପ୍ରଚଳ କରୁଥିବା ବେଳେ ରାତିରେ ମଧ୍ୟ ରାସ୍ତାରେ ଶୋଇ ରହୁଥିବା ଦେଖିବାକୁ ମିଳୁଛି । ରାଜରାସ୍ତା ଏକ ପ୍ରକାର ଗାଈଗୋରୁଙ୍କ କବଜାରେ ରହୁଛି । ହେଲେ ପ୍ରଶାସନର ଏଥିପ୍ରତି ନିଘା ନାହିଁ । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହେଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଅନେକ ଗାଈ ଗୋରୁଙ୍କ ଜୀବନ ଗଲାଣି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏନେଇ ବାଲିଗୁଡ଼ା ଏନ୍‌ଏସି ପକ୍ଷରୁ କାଞ୍ଜିଆହୁଦାର ବ୍ୟବସ୍ଥା କିମ୍ବା ଗାଈ ମାଲିକଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଦେଖିବାକୁ ମିଳୁଛି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ସହରରେ ଦୁର୍ଘଟଣା ନିୟନ୍ତ୍ରଣ ହେବାସହ ଅନେକ ଧନଜୀବନ ରକ୍ଷା ପାଇପାରିବା ବୋଲି ସାଧାରଣରେ ଆଲୋଚନା ହେଉଛି ।

Comments (0)
Add Comment