କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ, ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତର ବାଉଡି ଗ୍ରାମର ଜଙ୍ଗଲ ପରିଚାଳନା କମିଟି ଓ ଅନ୍ତରଙ୍ଗ ଯୁବ ସଂଘ ପକ୍ଷରୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପାଇଁ ଦାବି କରାଯାଇଥିବା ଜଙ୍ଗଲରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ମାସ୍କ ବ୍ୟବହାର କରି ୮୦୦ ବୃକ୍ଷ ରୋପଣ କରାଯାଇଛି।
ଚଳିତ ବର୍ଷ ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ନିୟମ ୨୦୧୨ ଅନୁଯାୟୀ ବାଉଡି ଗ୍ରାମର ଜଙ୍ଗଲ ଅଧିକାର କମିଟି ଗ୍ରାମ ସଭା ଆୟୋଜନ କରି ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର, ଗୋଷ୍ଠୀଗତ ଅଧିକାର ଓ ବ୍ୟକ୍ତିଗତ ଅଧିକାର ପାଇଁ ଦାବୀ ପ୍ରସ୍ତୁତ କରି ଉପଖଣ୍ଡ ସ୍ତରୀୟ ବାଲିଗୁଡ଼ା ଠାରେ ଦାଖଲ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ଓ ଏହାର ନିୟମ ଅନୁସାରେ ଜଙ୍ଗଲ ପରିଚାଳନା କମିଟି ଗଠନ କରି ଜଙ୍ଗଲରେ କମ୍ ପରିମାଣରେ ଗଛ ଲତା ଥିବା ହେତୁ ବୃକ୍ଷ ରୋପଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
କନ୍ଧମାଳ ଜିଲ୍ଲାରେ ଅନ୍ତରଙ୍ଗ ଯୁବ ମହାସଂଘ ବିଭିନ୍ନ ସମୟରେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଦାବୀ ପ୍ରକ୍ରିୟା କରଣ କରିବାରେ ସହଯୋଗ କରୁଛନ୍ତି। ବନ ବିଭାଗ ଘୁ.ଉଦୟଗିରି ସହଯୋଗରେ ଦାବୀ କରାଯାଇଥିବା ଜଙ୍ଗଲରେ ୮୦୦ ବୃକ୍ଷ ରୋପଣ କରାଯାଇଛି। ବନ ବିଭାଗ ପୁଣି ଚାରା ଯୋଗାଇ ଦେଲେ ଆହୁରି ଖାଲି ରହିଥିବା ସ୍ଥାନରେ ବୃକ୍ଷ ଲଗାଯାଇପାରିବ ବୋଲି ପରିଚାଳନା କମିଟିର ସଭାପତି ଶ୍ରୀ ସୈାମ୍ୟରାଜ ପ୍ରଧାନ ମତପ୍ରକାଶ କରିଛନ୍ତି। ମୁଖ୍ୟ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ମିନାକ୍ଷୀ କୁମୁରା ଯୋଗ ଦେଇ ବୃକ୍ଷ ପୂଜା କରି ବୃକ୍ଷ ରୋପଣର ମହତ୍ଵ, ସୁସ୍ଥ ଅମ୍ଳଜାନ, ସୁସ୍ଥ ପରିବେଶ, ବୃକ୍ଷ ଓ ମଣିଷ ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ କହିବା ସହ ବୃକ୍ଷ ରୋପଣର ପରବର୍ତ୍ତୀ ଧ୍ୟାନ ଓ ପରିଚାଳନା ଏବଂ ଗଛଗୁଡ଼ିକୁ ରକ୍ଷଣାବେକ୍ଷଣ ଆମ ଦାୟିତ୍ଵରେ ରହିବା ସହ ଆଗାମୀ ପିଢ଼ି ପାଇଁ ତଥା ସୁସ୍ଥ ପରିବେଶ ପାଇଁ ଉଦାହରଣ ସୃଷ୍ଟି କରିପାରିବ ବୋଲି ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ କହିଥିଲେ।
ଏହି କାର୍ଯ୍ୟକ୍ରମରେ ବନ ବିଭାଗ, ଘୁ.ଉଦୟଗିରିର ବାନାଞ୍ଚଳ ଅଧିକାରୀ ମିନାକ୍ଷୀ କୁମୁରା , ଅନିତା ପାତ୍ର ଓ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ବିଷ୍ଣୁପ୍ରିୟା ପ୍ରଧାନ, ନିଳମାଧବ ପାତ୍ର ଜଙ୍ଗଲ ଅଧିକାର କମିଟିର ସଭାପତି ଶ୍ରୀ ସୈାମ୍ୟରାଜ ପ୍ରଧାନ ଓ ସମ୍ପାଦକ ଶ୍ରୀ ମହଶ୍ବର ପ୍ରଧାନ, ଅନ୍ତରଙ୍ଗ ଯୁବ ସଂଘର ସଭ୍ୟ ସଭ୍ୟାମନେ ଓ ଜଙ୍ଗଲ ପରିଚାଳନା କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।