ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ

ବୌଦ୍ଧ,୧୯/୧୨: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ନର୍ସରୀ ଠାରେ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ଗଡ଼ଜାତ ଲୋକ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ଏହି ଉଦଯାପିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ବୌଦ୍ଧ ଗଡ଼ଜାତର ସ୍ୱର୍ଣ୍ଣିମ ଇତିହାସକୁ ରୁଦ୍ଧିମନ୍ତ କରିବା ପାଇଁ ମହୋତ୍ସବ ଏକ ଶ୍ରେଷ୍ଠ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ଜିଲ୍ଲା ଓକିଲସଂଘର ସଭାପତି ସିଦେ୍ଧଶ୍ୱର ଦାସ, ମୁଖ୍ୟବକ୍ତା ଭାବେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ଯୋଗ ଦେଇଥିଲେ ।

ମହୋତ୍ସବ କମିଟିର ସଭାପତି ବିଶ୍ୱଜିତ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ଦେବାଶିଷ ମହାକୁଳ ବିବରଣୀ ପାଠ କରିଥିଲେ । ସଦସ୍ୟ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଦୁଃଖିଶ୍ୟାମ ଗାଇଗୌରିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗଡ଼ଜାତ ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତି ଡ. ପ୍ରବୀର କୁମାର ଦାସଙ୍କୁ ସମାଜସେବୀ ଭାବରେ, ଡ଼ା. ବିଜୟ କୁମାର ସାହୁଙ୍କୁ ଉତ୍ତମ ଚିକିତ୍ସକ ଭାବେ, ହରପ୍ରସାଦ ପଣ୍ଡାଙ୍କୁ ଅଗ୍ରଣୀ କୃଷକ ଭାବେ, ଶିକ୍ଷାବିତ୍‌ ଭାବେ ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ, ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସଞ୍ଜିବ କୁମାର ମହାକୁଡ ଓ ‘ଧରିତ୍ରୀ’ର ଜିଲ୍ଲା ପ୍ରତିନିଧି ଅଜିତ କୁମାର ବାରିକଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ସୁନାମଧନ୍ୟ କଣ୍ଠଶିଳ୍ପୀ ପ୍ରସନ୍ନଜିତ୍‌ ସାମଲ, ସନ୍ତୋଷ ଦାଶ, ଓ ରୁବି ଜେନାଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଏକ ଯୁବ ସଚେତନତା କର୍ମଶାଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ରନାଥ ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କହଁର ଯୁବ ସଚେତନ କର୍ମଶାଳାରେ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି କର୍ମଶାଳାରେ ପ୍ରଶିକ୍ଷକ ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ୍‌ ସମ୍ପାଦକ ଡ. ପ୍ରବୀର କୁମାର ଦାସ, ବାଉଁଶୁଣୀ ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା, ସିନେ ନିର୍ଦ୍ଦେଶକ ବନମାଳି ରଣା,ପରିବେଶ ସଂଗଠନ ସୁରକ୍ଷା ମଞ୍ଚ ର ଜିଲ୍ଲା ସଂଯୋଜକ ଲିଙ୍ଗରାଜ ମହାକୁଡ ପ୍ରମୁଖ ଯୋଗଦେଇ ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ନିଜକୁ ଶ୍ରେଷ୍ଠକରି ଗଢି ତୋଳି ଦେଶ ମାତୃକାର ସେବାରେ ଉତ୍ସର୍ଗ କରିବା ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ । ଏହି କର୍ମଶାଳାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ନେଇଥିଲେ । ଏହି ପାଞ୍ଚଦିନ ବ୍ୟାପି ମହୋତ୍ସବରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସହଯୋଗ କରିଥିଲେ ।

Fifth Gadjat Lok Mahotsavପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ
Comments (0)
Add Comment