କିସ ରେ ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍ ଉଦ୍‍ଘାଟିତ, କ୍ରୀଡ଼ାରେ ବିନିଯୋଗ ହିଁ ଯୁବଗୋଷ୍ଠୀ ପାଇଁ ବିନିଯୋଗ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଫିଫା ଓ କିସ୍‍ ର ମିଳିତ ସହଯୋଗରେ ବୁଧବାର କିସ୍‍ ରେ ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍ କାର୍ଯ୍ୟକ୍ରମକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‍ରେ ଉଦ୍‍ଘାଟନ କରିଛନ୍ତି । ସମଗ୍ର ବିଶ୍ୱରେ ପ୍ରଥମ ଥର ଲାଗି ଭାରତର ଓଡ଼ିଶାରେ ଫୁଟବଲ୍‍ ଫର ସ୍କୁଲ୍‍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କରୋନା ନିୟମ ମଧ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁଇଜର୍‍ଲ୍ୟାଣ୍ଡ ସାଂସଦ ଡ. ନିକ୍‍ ଗଗର୍‍, ଫିଫା ସଭାପତି ଜିଏନି ଇନ୍‍ଫାଣ୍ଟିନୋ ଭର୍ଚୁଆଲ୍‍ରେ ଯୋଗ ଦେଇଥିବା ବେଳେ ଫିଫା ଫାଉଣ୍ଡେସନ୍‍ କାର୍ଯ୍ୟନିର୍ବାହୀ ଅଧିକାରୀ ୟୁରୀ ଡିଜୋରକେଫ୍‍, ଫିଫା ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍ର ପ୍ରୋଜେକ୍ଟ ଲିଡର୍‍ ଆଲେକ୍‍ଜେଣ୍ଡ୍ରେ ଗ୍ରସ୍‍, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର୍‍ ତଥା ସଚିବ ଆର୍‍. ଭିନିଲ୍‍କ୍ରିଷ୍ନା, ଅଲ୍‍ ଇଣ୍ଡିଆ ଫୁଟ୍‍ବଲ୍‍ ଫେଡେ଼ରେସନ୍‍ (ଏଆଇଏଫ୍‍ଏଫ୍‍) ସାଧାରଣ ସମ୍ପାଦକ କୁଶଲ ଦାସ, ଓଡ଼ିଶା ଫୁଟ୍‍ବଲ୍‍ ଆସୋସିଏସନ୍‍ ସଭାପତି ଦେବାଶିଷ ସାମନ୍ତରାୟ ଓ ସମ୍ପାଦକ ଆଶୀର୍ବାଦ ବେହେରା, ଫିଫା ପଦାଧିକାରୀ ଆଲେକ୍‍ଜେଣ୍ଡ୍ରା ହୁଟେ, ଆଣ୍ଟୋନିଓ ବୁଏନାନୋ ଏବଂ ଆଲ୍‍ବର୍ଟୋ ଜିଆକୋମିନି ପ୍ରମୁଖ ଯୋଗଦେଇଥିଲେ ।


ପ୍ରଥମଥର ଲାଗି ଭାରତରେ ଫିଫା ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି । କାର୍ଯ୍ୟକ୍ରମକୁ ଭର୍ଚୁଆଲ୍‍ରେ ଉଦ୍‍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ କ୍ରୀଡ଼ା କ୍ଷେତ୍ରରେ ବିନିଯୋଗ ହିଁ ଯୁବକଙ୍କ ପାଇଁ ବିନିଯୋଗ । ଯୁବକଙ୍କ କ୍ଷେତ୍ରରେ ବିନିଯୋଗ ହେଉଛି ଭବିଷ୍ୟତ ପାଇଁ ବିନିଯୋଗ । ଏହି ପ୍ରକାର ସହଯୋଗ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ଫୁଟବଲ୍‍କୁ ଅନ୍ତର୍ଭୁକ୍ତ କରିବା ତୃଣମୂଳସ୍ତରରେ ଛାତ୍ରଛାତ୍ରୀଙ୍କ ପାଇଁ ଫୁଟବଲ୍‍ ପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଗତ ଦୁଇ ଦଶନ୍ଧୀ ଧରି କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ବ୍ୟାପକ ପ୍ରୋତ୍ସାହନ ପାଇଁ ପ୍ରୟାସ କରି ଆସିଥିବା କିଟ୍‍ ଓ କିସ୍‍ ର ଭୂୟସୀ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ।


ଡ. ଗଗର୍‍ କହିଲେ ନବୀନ ପଟ୍ଟନାୟକଙ୍କ ନେନୃତ୍ୱରେ ଓଡ଼ିଶା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ବ୍ୟାପକ ଭାବେ ପ୍ରୋତ୍ସାହନ ଯୋଗାଇ ଦେଇ ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଡ. ଅଚ୍ୟୁତ ସାମନ୍ତଙ୍କ ଅବଦାନର ଭୂୟସୀ ପ୍ରଶଂସା କରି ସେ କହିଲେ ଶ୍ରୀ ସାମନ୍ତ ବ୍ୟାପକ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବା ସହ କ୍ରୀଡ଼ାବିତ୍‍ଙ୍କୁ ଯେଉଁ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି । ସେଥିପାଇଁ ଆଜି କିଟ୍‍ ଓ କିସ୍‍ ର କ୍ରୀଡ଼ାବିତ୍‍ ଭାରତକୁ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଗୌରବ ଆଣିଦେଉଛନ୍ତି । ଭାରତରେ ଫିଫାର ଏଭଳି ପ୍ରୟାସ ପ୍ରଥମ ବୋଲି ଡ. ଗଗର୍‍ କହିଥିଲେ ।


କ୍ରୀଡ଼ାକୁ ପ୍ରୋତ୍ସାହନ କ୍ଷେତ୍ରରେ ବୈପ୍ଳବିକ ପ୍ରୟାସ ପାଇଁ ଫିଫାର ସଭାପତି ଇନ୍‍ଫାଣ୍ଟିନୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇ କହିଲେ, ସମଗ୍ର ବିଶ୍ୱରେ ପ୍ରଥମ ଥର ଲାଗି ଭାରତର ଓଡ଼ିଶାରେ ଫୁଟବଲ୍‍ ଫର ସ୍କୁଲ୍‍ କାର୍ଯ୍ୟକ୍ରମ ଉଦ୍‍ଘାଟିତ ହେଉଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଫୁଟ୍‍ବଲ୍‍ ଫର୍‍ ସ୍ପୋଟ୍‍ର୍ସ ହେଉଛି ଏଭଳି ଏକ କାର୍ଯ୍ୟକ୍ରମ ଯାହା ଫୁଟବଲ୍‍ ଓ ଶିକ୍ଷାକୁ ଏକାଠି କରିଥାଏ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଫନ୍‍ ଫୁଟ୍‍ବଲ୍‍ ଛାତ୍ରଛାତ୍ରୀଙ୍କୁ ଜୀବନ କୌଶଳ ଶିଖିବାରେ ଆଗ୍ରହ ସୃଷ୍ଟି କରିବ ବୋଲି ସେ କହିଥିଲେ ।
ଉଦ୍‍ଘାଟନୀ ଉତ୍ସବର ଅଧ୍ୟକ୍ଷତା କରି ଶ୍ରୀ ସାମନ୍ତ କହିଲେ, ଫିଫା ସଭାପତିଙ୍କ ଏହି ବୈପ୍ଳବିକ ପ୍ରୟାସ ଭାରତରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟ୍‍ବଲ୍‍ ପ୍ରତି ଆଗ୍ରହ ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କିଟ୍‍ ଓ କିସ୍‍ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମ ଆରମ୍ଭ ସକାଶେ ଦୀର୍ଘ ଦେଢ଼ବର୍ଷ ହେଲା ଶ୍ରୀ ସାମନ୍ତ ଫିଫା ସଭାପତିଙ୍କ ଯୋଗାଯୋଗରେ ଥିଲେ । କରୋନା ମହାମାରୀ ଯୋଗୁଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇପାରି ନଥିଲା । ଗତ୨୫ ତାରିଖରୁ ଫିଫା ପକ୍ଷରୁ ଟ୍ରେନିଂ ଫର୍‍ ଟ୍ରେନର ଆରମ୍ଭ ହୋଇଛି । ଏଥିରେ ରାଜ୍ୟର ୧୦୦ଟି ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଏବଂ କିଟ୍‍ ଓ କିସ୍‍ର ୧୦୦ଜଣ ଫୁଟବଲ୍‍ ଖେଳାଳି ଯୋଗ ଦେଇଛନ୍ତି । କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment