ନାହିଁ ନାହିଁରେ ଚାଲିଛି ଘୁ ଉଦୟଗିରି ଉପ ଡାକଘର

ଘୁ ଉଦୟଗିରି,୨/୩ – ଘୁ.ଉଦୟଗିରିସ୍ଥିତ ବହୁ ପୁରାତନ ଉପ ଡାକଘର ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ । ଏହି ଡାକଘର ଦ୍ୱାରା ଅନେକ ସୁବିଧା ଲୋକମାନେ ପାଉଛନ୍ତି ଯେପରିକି ଚିଠି, ପାର୍ଶଲ ପଠେଇବା, ଟଙ୍କା ନେଣ ଦେଣ ଭଳି ଜରୁରୀ କାର୍ଯ୍ୟ । ଆଜିକାଲି ମୋବାଇଲ ଯୁଗରେ ବା ଅତ୍ୟାନୁଧିନିକ ସୁବିଧା ଯୁଗରେ ମଧ୍ୟ ଏହାର ଚାହିଦା ଢେର୍‌ ବେଶି ରହିଛି । ମୋବାଇଲ ମାଧ୍ୟମରେ ମେସେଜ କିମ୍ବା ଇ-ମେଲ ଇଣ୍ଟରନେଟ୍‌ ଜରିଆରେ ପଠାଉଥିଲେ ମଧ୍ୟ ପୋଷ୍ଟ ଅପିସ ମାଧ୍ୟମରେ ସ୍ପିଡ ପୋଷ୍ଟ, ରେଜେଷ୍ଟ୍ରି ପୋଷ୍ଟ, ପାର୍ଶଲ ଭଳି ଅନେକ ସୁବିଧା ଏହି ଉପ ଡାକଘର ବା ପୋଷ୍ଟ ଅଫିସ ଦ୍ୱାରା ହୋଇପାରୁଛି । ଲୋକମାନଙ୍କ ନିମନ୍ତେ ଏହି କାର୍ଯ୍ୟାଳୟ ଦ୍ୱାରା ସଞ୍ଚୟ ଖାତା ଓ ଅନ୍ୟାନ୍ୟ ବ୍ୟାଙ୍କ ସୁବିଧା ମଧ୍ୟ ରହିଛି । ଏପରିକି ଏଠାରେ ଆଧାର କାର୍ଡ ମଧ୍ୟ କରାଯାଉଛି । ଅନେକ ସୁବିଧା ଜନତାଙ୍କ ନିମନ୍ତେ ଏହି ପୋଷ୍ଟ ଅଫିସ ମାଧ୍ୟମରେ ମିଳିଥାଏ କିନ୍ତୁ ପରିତାପର ବିଷୟ ଯେ ଏହି କାର୍ଯ୍ୟାଳୟରେ କାର୍ଯ୍ୟକାରୀ ବା ଷ୍ଟାଫ ଅଭାବ ଯେଉଁଠାରେ ୪ଜଣ କର୍ମଚାରୀ ରହି କାମ କରିବା କଥା ସେହି ସ୍ଥାନରେ କେବଳ ୨ଜଣ କାମ କରୁଛନ୍ତି । ବାକି ଦୁଇଜଣ ଡେପୁଟେଶନରେ ଯାଉଛନ୍ତି । ଏଭଳି ସ୍ଥିତିରେ ଆମେ ଏଠାକାର ସୁପରିଟେଣ୍ଡେଣ୍ଟଙ୍କୁ ଭେଟିଥିଲୁ ଏବଂ ଏହି ବିଷୟରେ ପଚାରି ବୁଝିଥିଲୁ । ତାଙ୍କ ପ୍ରତିକ୍ରିୟାରେ ସେ ସବୁ ଠିକ୍‌ ଥିବା କଥା ପ୍ରକାଶ କରିଛନ୍ତି । ଡେପୁଟେଶନରେ ଗଲେ ଅନ୍ୟ କର୍ମଚାରୀ କାମ ତୁଲାଉଥିବା ପ୍ରକାଶ କରିଛନ୍ତି । ଏହି ସମୟରେ ଯଦି ଜାନୁଆରୀ ମାସ ଠାରୁ ଆରମ୍ଭକରି ଆଜି ପର୍ଯ୍ୟନ୍ତ ଦେଖିଲେ ୬୪୬ ଗୋଟି ଚିଠି ସ୍ପିଡ୍‌ ପୋଷ୍ଟ କିମ୍ବା ଅନ୍ୟ ଉପାୟରେ ବାହାରକୁ ଯାଇଛି । କିନ୍ତୁ ଗତ ୫ ଦିନର ଷ୍ଟାଟେଷ୍ଟିକ ଦେଖିଲେ କେବଳ ୧୩ଟି ଚିଠି ରେଜେଷ୍ଟ୍ରି ଓ ୨ଟି ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ଯାଇଥିବାବେଳେ ପାର୍ସଲ କିଛି ଯାଇନାହିଁ । ସୂଚନା ଅନୁଯାୟୀ ମୁଖ୍ୟ ପୋଷ୍ଟମାଷ୍ଟର ପ୍ରକାଶ କରିଛନ୍ତି ଯେ ଲୋକମାନଙ୍କର କାମରେ ବହୁତ ବାଧା ସୃଷ୍ଟି ହେଉଛି କାରଣ କର୍ମଚାରୀ ଅଭାବ, ଜଣେ ଯଦି କୌଣସି କାମରେ ଆସେ ତେବେ କ୍ୟାସ କାଉଣ୍ଟର ରେ ବସିଥିବା କର୍ମଚାରୀ ସେହି ନିଜ କାମ ଛାଡି ଆସି ଏହି କାମ କରିବ ନହେଲେ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ କେତେ ସମୟ ଜଣାନାହିଁ । ଯଦି ଗହଳି ଅଛି ତେବେ ସେଠାରେ କେତେଦିନ ଲାଗିବ ସେ କାମ ପାଇଁ କହିବା ମୁସ୍କିଲ । ଏହିପରି ଅବସ୍ଥାରେ ଘୁ.ଉଦୟଗିରି ଉପଡାକ ଘରେ ଚାଲିଛି ଡାକସେବା । କେବଳ ୨ ଜଣ କର୍ମଚାରୀଙ୍କ ଦ୍ୱାରା ଚାଲିଛି ଏହି କାର୍ଯ୍ୟାଳୟ, ଯାହାରି ଫଳରେ ଅନେକ ଅସୁବିଧା ଜନତା ଭୋଗୁଥିବା ମଧ୍ୟ ଦେଖିବାକୁ ମିଳିଛି । ଲୋକେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବୋଲି ଏହି କାର୍ଯ୍ୟାଳୟରେ ସୁବିଧା ଥିବା ବିଷୟ ଗୁଡ଼ିକ ପାଇବାପାଇଁ ସଞ୍ଚୟ ଖାତା, ଆରଡି ଖାତା, ଇନସୁରେନ୍ସ ଓ ସୁକନ୍ୟା ଖାତା ଏଭଳି ଅନ୍ୟ ସୁବିଧାଥିବା ଖାତା ଖୋଲୁଥିବା ବେଳେ ସେବା ପାଇବା ବେଳକୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟ ଅଫିସ ଦ୍ୱାରା ରାଇକିଆ, ପାବୁରୀଆ, ଘୁ ଉଦୟଗିରି କଚେରୀ ସାହି ପୋଷ୍ଟ ଅଫିସ,ଓ କଳିଙ୍ଗା ସ୍ଥିତ ପୋଷ୍ଟ ଅଫିସ ପରିଚାଳିତ ହେଉଥିବା ବେଳେ କେହି ଯଦି ଛୁଟିରେ ଯାଉଛନ୍ତି ନତୁବା ଦେହ ଖରାପ ହେଉଛି ତେବେ ଏହି ମୁଖ୍ୟ କାର୍ଯ୍ୟାଳୟ ଠାରୁ ଡେପୁଟେଶନରେ ଯାଉଛନ୍ତି । ତେଣୁ ପ୍ରତିଦିନ କୌଣସି ନା କୌଣସି ଅଭାବ ରହୁଥିବା ଦେଖିବାକୁ ମିଳିଛି ଯାହା ଫଳରେ ଷ୍ଟାଫ ସମ୍ପୂର୍ଣ୍ଣ ନ ଥିବା ଯୋଗୁଁ ଗ୍ରାହକ ବା ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । କହିବାକୁ ଗଲେ ଘୁ.ଉଦୟଗିରି ଉପଡ଼ାକ ଘର ନାହିଁ ନାହିଁରେ ଚାଲିଛି । କର୍ମଚାରୀ ଅଭାବ ଯୋଗୁଁ ଡାକସେବା ଯୋଗେଇବାରେ ଘୁ.ଉଦୟଗିରି ଉପ ଡ଼ାକଘର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡିଛି । ତୁରନ୍ତ କର୍ମଚାରୀ ଯୋଗେଇଦେବାସହ ସମସ୍ତ ସେବା ଯୋଗେଇ ଦେବାକୁ ସାଧାରଣରେ ଦାବି ହୋଇଛି ।

Comments (0)
Add Comment