ବୈଜ୍ଞାନିକ ପଦ୍ଧତିରେ ଫୁଲକୋବି ଚାଷ, ବାର୍ଷିକ ଲକ୍ଷାଧିକ ଟଙ୍କା ଆୟକରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଚାଷୀ

ଘୁ.ଉଦୟଗିରି,୧୩/୨: କନ୍ଧମାଳ ଜିଲ୍ଲାରେ ପ୍ରାୟତଃ ଚାଷୀମାନେ ବିଭିନ୍ନ ପରିବା ଚାଷ କରିଥାନ୍ତି ।ପ୍ରାୟ ପରିବା ଚାଷ ଜୈବିକ ପଦ୍ଧତିରେ କରାଯାଇଥାଏ । ବିନ୍ସ, ଗ୍ରୀନ ମଟର, ଟମାଟୋ, ଫଳକୋବି,ବନ୍ଧାକୋବି ,ଫୁଲକୋବି ଏବଂ ବାଇଗଣ ଭଳି ପରିବା ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ପ୍ରାୟତଃ ଫୁଲକୋବି ଚାଷ ଅଧିକ ମାତ୍ରାରେ ହୋଇଥାଏ । ଏହି ଚାଷ କରି ଆଶାନୁରୂପ ଅଧିକ ଅମଳ ପାଇନଥାନ୍ତି । ଅସୁନ୍ତଳିତ ଖାଦ୍ୟସାର ପ୍ରୟୋଗ, ସ୍ୱଳ୍ପ ଅମଳ ବିହନର ବ୍ୟବହାର ଓ ରୋଗ ପୋକର ପ୍ରାଦୁର୍ଭାବ ଯୋଗୁଁ ଚାଷୀମାନେ କୋବି ଚାଷରୁ କମ୍‌ ଅମଳ ପାଇଥାନ୍ତି । ଏ ସବୁକୁ ଦୃଷ୍ଟିରେ ରଖି କୃଷି ବିଜ୍ଞାନ କେନ୍ଦ୍ର ,କନ୍ଧମାଳ ପକ୍ଷରୁ ଚଳିତବର୍ଷ ଟିକାବାଲି ବ୍ଲକର ଗଶାଗୁଡା ଗ୍ରାମରେ ୨୫ଜଣ ଚାଷୀଙ୍କୁ ନେଇ ବୈଜ୍ଞାନିକ ପଦ୍ଧତିରେ ଫୁଲକୋବି ଚାଷ ସମ୍ୱନ୍ଧରେ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆଦିବାସୀ ଉପଯୋଜନା ମାଧ୍ୟମରେ ଉକ୍ତ ଗ୍ରାମରେ ବୈଜ୍ଞାନିକ ପଦ୍ଧତିରେ ଫୁଲକୋବି ଚାଷର ଏକ କ୍ଷେତ୍ର ପ୍ରଦର୍ଶନ କରାଯାଇଥିଲା । ଉକ୍ତ ଯୋଜନା ମାଧ୍ୟମରେ ୧୫ ଜଣ ଚାଷୀଙ୍କୁ ଶଙ୍କର କିସମ ବିହନ,ସାର,ଅଣୁସାର ଓ କୀଟନାଶକ ଔଷଧ କୃଷିବିଜ୍ଞାନ କେନ୍ଦ୍ର ପକ୍ଷରୁ ଚାଷୀ ମାନଙ୍କୁ ଯୋଗେଇ ଦିଆଯାଇଥିଲା । ଘୁ.ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସୁଜିତ କୁମାର ମୁଖିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଚାଷୀ ସଫଳ ଭାବରେ ଫୁଲକୋବି ଅମଳ କରିପାରିଛନ୍ତି । କ୍ଷେତ୍ର ପରିଦର୍ଶନରୁ ଜଣାପଡ଼ିଛି ଚାଷୀମାନେ ଗୋଟେ ଫୁଲକୋବିକୁ ୩୦-୪୦ଟଙ୍କାରେ ବଜାରରେ ବିକ୍ରିକରି ଅଧିକ ଲାଭବାନ ହୋଇପାରିଛନ୍ତି । ଏହି ଯୋଜନା ମାଧ୍ୟମରେ ଚାଷୀମାନେ ଏକର ପିଛା ହାରାହାରି ୧୨୦କୁଇଣ୍ଟାଲ କୋବି ଅମଳ କରିପାରିଛନ୍ତି ଓ ଏହାକୁ ଟିକାବାଲି ଏବଂ ଘୁ.ଉଦୟଗିରି ବଜାରରେ ବିକ୍ରିକରି ଏକର ପିଛା ହାରାହାରି ୧ଲକ୍ଷ୭୪ହଜାର ୯୦୦ଟଙ୍କା ଆୟ କରିଛନ୍ତି । ଯଦି ଖର୍ଚ୍ଚକୁ ବାଦ୍‌ ଦିଆଯିବ ତାହାହେଲେ ଚାଷୀମାନେ ଏକର ପିଛା ହାରାହାରି ୧ଲକ୍ଷ ୪୩ହଜାର ୪ଶହ ଟଙ୍କା ଲାଭ ପାଇଛନ୍ତି । ଏହି ପଦ୍ଧତିରେ ଚାଷକରି ଅଧିକ ଲାଭବାନ ହୋଇ ବେଶ ଖୁସିବ୍ୟକ୍ତ କରିଛନ୍ତି ଚାଷୀ । ଏଥିସହ ଏହି ଚାଷକୁ ଦେଖି ଏବଂ ଏହାର ଲାଭକୁ ଦେଖି ଆଖପାଖ ଗାଁର ଚାଷୀମାନେ ଏହି ପଦ୍ଧତିରେ ଫୁଲକୋବି ଚାଷ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । କୃଷିବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ଼ଃ ନାରାୟଣ ବାର କନ୍ଧମାଳ ଜିଲ୍ଲାର ଚାଷୀ ମାନଙ୍କୁ ଏହି ପଦ୍ଧତିରେ ଫୁଲକୋବି ଚାଷ କରି ଲାଭବାନ ହେବା ନିମନ୍ତେ ପରାମର୍ଶ ଦେଇଛନ୍ତି । ଏହିପରି ବୈଜ୍ଞାନିକ ପଦ୍ଧତିରେ ଫୁଲକୋବି ଚାଷ କଲେ ଆମ କନ୍ଧମାଳ ଜିଲ୍ଲାର ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ଼ ହୋଇପାରିବ । ଅଧିକ ଅମଳ ସହ ଅଧିକ ଲାଭ ଯୋଗେଇଦେବ ଏହି ଫୁଲକୋବି ଚାଷ ।

Comments (0)
Add Comment