ତେଲ,ପରିବା ଦର ଠାରୁ ବଳିଗଲାଣି ମାସିକ ବିଦ୍ୟୁତ ବିଲ୍‌ ଦେୟ, ସାଧାରଣ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

ଘୁ.ଉଦୟଗିରି,୨୭/୧୦- ଦିନକୁ ଦିନ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦର ବଢିବଢି ଚାଲିଛି । ପେଟ୍ରୋଲ,ଡିଜେଲ, ଗ୍ୟାସ ,ଖାଉଟି ସାମଗ୍ରୀ, ବସ ଭଡା ସବୁକୁ ବଳିଗଲାଣି ମାସିକ ବିଦ୍ୟୁତ ବିଲ ଦେୟ । ସାଧାରଣ ଗରିବ ବିପିଏଲ ପରିବାରଙ୍କୁ ସରକାର ମାଗଣାରେ ବିଦ୍ୟୁତ ସଂଯୋଗ ଦେଇ ସ୍ୱଳ୍ପ ଦେୟ ନେଉଥିବା ବେଳେ ଏବେ ଏହି ବିପିଏଲ ଉପଭୋକ୍ତା ମାସିକ ବିଦ୍ୟତ ବିଲ ଦେଖି ଟେରା ହୋଇଗଲେଣି ।ଦୀର୍ଘ ବର୍ଷ ହେଲା ବିଦ୍ୟୁତ ସଂଯୋଗ ନେଇ ମାସିକ ଶହେ ଦୁଇଶହ ଟଙ୍କା ବିଲ ଭରୁଥିବା ବେଳେ ଏବେ କିଛି ମାସ ହେଲା ହଜାର ହଜାର ଟଙ୍କା ବିଦ୍ୟୁତ ବିଲ ଦେୟ ଆସୁଥିବା ଦେଖି ପ୍ରତ୍ୟେକ ଦିନ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଲୋକଙ୍କ ଭିଡ଼ ଜମୁଛି । ଦୈନିକ ଲୋକ ନିଜ ନିଜ ବିଦ୍ୟୁତ ବିଲ୍‌ର ସମାଧାନ ପାଇଁ ଯାଉଛନ୍ତି ହେଲେ କିଛି ସମାଧାନ ହୋଇପାରିନି । କାରଣ ଟାଟା କମ୍ପାନୀ ବିଦ୍ୟୁତ ଆବଣ୍ଟନ ଦାୟିତ୍ୱ ନେବାପରେ ଉପର ମୁଣ୍ଡରେ ସବୁ କାମ ହେଉଛି । ସାମାନ୍ୟ ବିଦ୍ୟୁତ ସମସ୍ୟା ହେଲେ ଟୋଲ ଫ୍ରି ନମ୍ୱରରେ ଅଭିଯୋଗ କରିବାକୁ ପଡୁଛି । ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ କିଛି ନାହିଁ । ଏହିଭଳି ପରିସ୍ଥିତିରେ ସ୍ଥାନୀୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗରିବ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହିଭଳି ବର୍ଦ୍ଧିତ ବିଦ୍ୟୁତ ବିଲ ଆସିବା ପାଇଁ ଉପଭୋକ୍ତାମାନେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଚଳିତମାସ ବିଦ୍ୟୁତ ବିଲ ୪୭ଦିନର ବାହାରିବା ଯୋଗୁଁ ବିଦ୍ୟୁତ ୟୁନିଟ ବଢିବା ସହ ସ୍ଲାବରେଟ ବଢି ହଜାର ହଜାର ଟଙ୍କା ବିଦ୍ୟୁତ ବିଲ ଆସିଥିବା ଜଣାପଡିଛି । କମ୍ପାନୀ ନିଜର ଭୁଲ ପାଇଁ ଲୋକଙ୍କ ଠାରୁ ବର୍ଦ୍ଧିତ ଦରରେ ବିଦ୍ୟୁତ ଦେୟ ଆଦାୟକୁ ସାଧାରଣ ଲୋକ ତୀବ୍ର ବିରୋଧ କରିବା ସହ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲେଇବାକୁ ଚେତାବନୀ ଦେଇଛନ୍ତି ।

Comments (0)
Add Comment