ଦାରିଙ୍ଗବାଡିରେ ୱାଚ ଟାୱାର୍‌ ସହ ମିନି ପାର୍କ ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନ ଚୟନ

ଜି.ଉଦୟଗିରି/ଦାରିଙ୍ଗବାଡି ,୨୩/୦୬ : ଓଡିଶାର କାଶ୍ମୀର ତଥା ଭୂସ୍ୱର୍ଗ ଭାବେ ଦାରିଙ୍ଗବାଡି ପରିଚିତ । ଓଡିଶାର ପର୍ଯ୍ୟଟନ କ୍ଷେତ୍ରରେ ଦାରିଙ୍ଗବାଡି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଶୀତ ଦିନ ହୋଇଗଲେ ଶୀତର ମଜା ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦାରିଙ୍ଗବାଡିକୁ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ଏପରିକି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଗତବର୍ଷ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦାରିଙ୍ଗବାଡିରେ ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ । ଏଭଳି ଭାବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆଉ ଏକ ୱାଚ ଟାୱାର୍‌ ସହ ମିନି ପାର୍କ ନିର୍ମାଣ କରିବା ପାଇଁ ଦାରିଙ୍ଗବାଡି ବିଧାୟକ ସହ ପ୍ରଶାସନ ଆଗେଇ ଆସିଛି । ଦାରିଙ୍ଗବାଡି ସ୍ଥିତ ସୁଲେକ ସରୁ ପାହାଡ଼ଠାରେ ୱାଚ ଟାୱାର୍‌ ସହ ମିନି ପାର୍କ ନିର୍ମାଣ ନିମନ୍ତେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ତତ୍ୱାବଧାନରେ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ, ଥାନା ଅଧିକାରୀ କୌଶିକ ମାଝୀ, ରାଜସ୍ୱ ନିରୀକ୍ଷକ କେଦାର ସାହୁ, ବିଧାୟକ ପ୍ରତିନିଧି ଦୀପକ ସାହୁ ପ୍ରମୁଖ ସୁଲେକ ସରୁ ପାହାଡ଼ ଉପରେ ପହଞ୍ଚି଼ି ସ୍ଥାନ ଚିହ୍ନଟ କରିଥିବା ଦେଖିବାକୁ ମିଳିଛି । ଏହି ସୁଲେକ ସରୁ ପାହାଡ଼ ସନସେଟ ପଏଣ୍ଟ ପାଖରେ ରହିଛି । ଉକ୍ତ ପାହାଡ଼ରେ ୱାଚ ଟାୱାର୍‌ ନିର୍ମାଣ ହେଲେ ଦାରିଙ୍ଗବାଡି ଅଂଚଳ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବାସହ ସୂର୍ଯ୍ୟ ଅସ୍ତ ସମୟର ମନୋରମ ଦୃଶ୍ୟ ଦେଖିହେବ । ଏଥି ସହିତ ଦାରିଙ୍ଗବାଡିର ଚତୁଃପାର୍ଶ୍ୱରେ ରହିଥିବା ପାହାଡ଼ ପର୍ବତ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିହେବ । ବର୍ତ୍ତମାନ ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଗୋଟିଏ ମାତ୍ର ୱାଚ ଟାୱାର୍‌ ରହିଛି । ହେଲେ ଦାରିଙ୍ଗବାଡି ଭଳି ପର୍ଯ୍ୟଟନ ସ୍ଥଳୀକୁ ଏହି ଗୋଟିଏ ୱାଚ ଟାୱାର୍‌ ଯଥେଷ୍ଟ ନଥିଲା । ଆଉ ଗୋଟିଏ ୱାଚ ଟାୱାର ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Comments (0)
Add Comment