ଘୁ.ଉଦୟଗିରି,୧୧/୯- ରାଜ୍ୟ ସରକାର ସାଧାରଣ ଲୋକଙ୍କ ପାଇଁ ଗାଁ ଗାଁରେ ପାନୀୟ ଜଳ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି, ବସୁଧା ଯୋଜନାରେ ସମସ୍ତ ଗାଁ ଗହଳିକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି ହେଲେ ସାରଙ୍ଗଡ ପଂଚାୟତର କଲୋନୀ ସାହି ବାସିନ୍ଦା ଏଥିରୁ ବାଦ ପଡିଛନ୍ତି । ଏହି ସାହିରେ ଶହେରୁ ଉର୍ଦ୍ଧ୍ୱ ପରିବାର ବାସକରନ୍ତି । ଶହେ ପରିବାରକୁ ଗୋଟିଏ ମାତ୍ର ନଳକୂପ ଭରସା । ପାଣି ପାଇଁ ସକାଳୁ ଧାଡି ବାନ୍ଧିବାକୁ ପଡୁଛି ନଳକୂପ ଆଗରେ । ସମସ୍ତ କାମ ଛାଡି ପ୍ରଥମେ ପାଣି ପାଇଁ ଅପେକ୍ଷା । ଘଣ୍ଟା ଘଣ୍ଟା ଅପେକ୍ଷା କଲେ ପାଣି ମିଳେ ସେଥିରେ ପୁଣି ଦଶ ପନ୍ଦର ଜଣ ନେଲା ପରେ ବାହାରେ ଗୋଳିଆ ପାଣି । ପିଇବା ପାଣି ପାଇଁ ମହିଳା ମାନେ ସାହିରୁ ଏକ କିଲୋମିଟର ଦୂରରେ ଥିବା ନାଳକୁ ଯାଇ ପାଣି ଆଣିଥାନ୍ତି । ପଂଚାୟତ ତରଫରୁ ହୋଇଥିବା ପାନୀୟ ଜଳପ୍ରକଳ୍ପ ଏହିସାହି ପର୍ଯ୍ୟନ୍ତ ପହଂଚି ପାରିନାହିଁ । ଲୋକେ ପିଇବା ପାଣି ପାଇଁ ସମିତି ସଭ୍ୟଠାରୁ ଆରମ୍ଭ କରି ସରପଞ୍ଚ, ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କିଛିବି ସୁଫଳ ମିଳୁନାଲ ଥିବା ଅଭିଯୋଗ କରିଛନ୍ତି ।
ସେହିପରି ସାହି ଭିତରକୁ ଯିବାପାଇଁ ଭଲ ରାସ୍ତା ଟିକେ ନାହିଁ । ବର୍ଷା ହେଲେ ଆଣ୍ଠୁଏ କାଦ । ଯିବା ଆସିବା ପାଇଁ ବହୁତ ଆସୁବିଧା । ସାହିରେ ଷ୍ଟ୍ରିଟ ଆଲୁଅ ନାହିଁ । କହିବାକୁ ଗଲେ ଏହି ସାହିବାସିନ୍ଦା ସବୁକ୍ଷେତ୍ରରେ ବାଦ ପଡିଛନ୍ତି ସବୁ ନାହିଁ ନାହିଁରେ ଚାଲିଛି । ବିକାଶ ସ୍ପର୍ଶ କରିନି କଲୋନୀ ସାହିକୁ । ତେଣୁ ସାହିବାସିନ୍ଦା ଉଦବେଗ ପ୍ରକାଶ କରିବା ସହ ଆଗାମୀ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।