ପ୍ରଶାସନର ଭୁଲ ଯୋଗୁଁ ୮ କି.ମି ଯିବାକୁ ପଡିବ ଭୋଟରଙ୍କୁ, ଭୋଟ ଦେବାକୁ ଯିବାପାଇଁ ବ୍ୟବସ୍ଥା କରିବାକୁ ଦାବି

ଘୁ.ଉଦୟଗିରି,୧୬/୨- ଘୁ.ଉଦୟଗିରି ବ୍ଳକ ଅଧୀନରେ ଥିବା ମାଳିକାପଡି ପଞ୍ଚାୟତର ୧ ନମ୍ବର ୱାର୍ଡ ଗାଲୁଲି ଗ୍ରାମର ଭୋଟର ତାଲିକା ସ୍ଥାନୀୟ ପଞ୍ଚାୟତର ୧୪ ନମ୍ବର ୱାର୍ଡ ସିର୍କୀ ଗ୍ରାମରେ ଅନ୍ତର୍ଭୁକ୍ତ ହୋଇଛି । ପାଖାପାଖି ୯୦ ଜଣ ବୃଦ୍ଧବୃଦ୍ଧାଙ୍କ ସମେତ ଅନ୍ୟମାନଙ୍କର ନାମ ଭୋଟର ତାଲିକାରେ ନିଜ ଗ୍ରାମ ଗାମୁଲିରେ ନରହି ସିର୍କି ଗ୍ରାମରେ ରହିଥିବାବେଳେ ଏବେ ଭୋଟରମାନେ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ତମ ଭୁଲ ପାଇଁ ଆମେ ଜଙ୍ଗଲ ପାହାଡ଼ ଚଢି ଦୀର୍ଘ ୮କିମି ରାସ୍ତା ଭୋଟ ଦେବାକୁ କାହିଁକି ଯିବୁ । ପାଖା ପାଖି ୯୦ ଜଣ ଲୋକଙ୍କର ନାମ ୧୩ ଓ ୧୪ ନମ୍ବର ୱାର୍ଡରେ ରହିଥିବା ଗାମୁଲିବାସୀ ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଥାଉକି ଯଦି କୌଣସି ରାଜନୈତିକ ଦଳ ସେମାନଙ୍କର ଯିବା ଆସିବା ବ୍ୟବସ୍ଥା କରନ୍ତି ତେବେ ନିଶ୍ଚିତ ଭାବରେ ନିଜ ଆଡକୁ ଆକୃଷ୍ଟ କରି ନିଜ ଦଳ ବା ନିଜ ସପକ୍ଷରେ ଭୋଟ ଦେବା ନିମନ୍ତେ ପ୍ରଲୋଭିତ କରିପାରନ୍ତି । ଯଦି ବ୍ୟକ୍ତିଗତ ଭାବେ ଯିବେ ତେବେ ସେହି ସ୍ଥାନକୁ ଯିବା ନିମନ୍ତେ କୌଣସି ବସ୍‌ ସୁବିଧା ନାହିଁ, ଯଦି ଯିବେ ତେବେ କୌଣସି ଗାଡି ଭଡା କଲେ ହିଁ ଯିବେ । ନିଜର ଟଙ୍କା ବ୍ୟୟ କରି ଦୀର୍ଘ ପ୍ରାୟ ୮ କିଲୋମିଟର ଯାଇ ଭୋଟ ଦେବାକୁ କେଉଁ ଭୋଟର କାହିଁକି ଆଗ୍ରହୀ ହେବେ ? ତେବେ ଏହି ଗାମୁଲି ଲୋକମାନଙ୍କର କଥା ଏବେ ବୁଝିବ କିଏ ? ଅଶିକ୍ଷିତ ବୁଢା ବୁଢ଼ୀ ମାନଙ୍କୁ ବୁଝେଇକି ଯିବା ପାଇଁ କହିବ କିଏ ? ସରକାର ଏହିପରି ତାଲିକା ପ୍ରସ୍ତୁତ କରିବା ଏକ ପରିତାପର ବିଷୟ ଏବଂ ଏଥିପାଇଁ ଯଦି ପୂର୍ବରୁ ସଂଶୋଧନ କରିବାପାଇଁ ସମୟ ଦିଆଯାଇଥିଲା ତେବେ କେଉଁ କାରଣରୁ ହୋଇପାରିଲା ନାହିଁ । ତାହା ସରକାରୀ ସ୍ତରରେ କରିବା ପାଇଁ ପୁଣି ସମୟ ଥାଉ ଥାଉ କରିବା କଥା । ଘୁ ଉଦୟଗିରି ବ୍ଳକରେ ନିର୍ବାଚନ ହେବା ନିମନ୍ତେ କେବଳ ୫ ଦିନ ରହିଥିବା ବେଳେ ଏବେ ସଂଶୋଧନ କରିବା ସମ୍ଭବ ନୁହଁ । ଏନେଇ ସମାଜସେବୀ ଉଦେଶନ ପ୍ରଧାନ ଗାମୁଲିବାସୀଙ୍କ ସୁବିଧା ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ ଜିଲ୍ଲାପାଳଙ୍କୁ ଜଣେଇବେ ବୋଲି ତାଙ୍କ ଉତ୍ତର ରଖିଥିଲେ । ଏଠାରେ ଗାମୁଲିବାସୀ ନିଜ ଜାଗାରେ ଭୋଟ ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।ଯଦି ନିଜ ଅଞ୍ଚଳ କିମ୍ବା ଆଖ ପାଖ ବୁଥରେ ହେଉନାହିଁ ତେବେ ଉକ୍ତ ବୁଥକୁ ଯିବା ଆସିବା ବ୍ୟବସ୍ଥା ସରକାର କରନ୍ତୁ ବୋଲି ଗାମୁଲିବାସୀ ନବରାଜ ପ୍ରଧାନ, ରୁବେନ ପ୍ରଧାନ, ବିପ୍ର ଚରଣ ପ୍ରଧାନ, ଖଗେଶ୍ୱର ପ୍ରଧାନ, ଯଶବନ୍ତ ପ୍ରଧାନ, କୁନାଲ ପ୍ରଧାନ ସମେତ ଗ୍ରାମବାସୀ ଦାବି କରିଛନ୍ତି ।

Comments (0)
Add Comment