ଭିନ୍ନକ୍ଷମ ହୋଇ ମଧ୍ୟ ପରିବା ବିକ୍ରିକରି ସମାଜ ପାଇଁ ପାଲଟିଛନ୍ତି ଉଦାହରଣ

ଘୁ.ଉଦୟଗିରି,୩/୨- ଇଛାଶକ୍ତି ଆଗରେ ନା ବୟସ ନା ଭିନ୍ନକ୍ଷମ ସବୁ କିଛି ହାର ମାନିଛି ସିଫନିୟଙ୍କ ପାଖରେ । ବୟସ ୬୦ ସହ ଦୃଷ୍ଟିହୀନ ତଥାପି କର୍ମଠ । ଆଖିକୁ ଦେଖାନଗଲେ କଣ ହେଲା ନିଜ ବାକ ଚାତୁରୀରେ ଗ୍ରାହକଙ୍କ ମନକୁ ମୋହି ବ୍ୟବସାୟ କରିବାରେ ନିଜ ପତ୍ନୀଙ୍କୁ ସହଯୋଗ କରୁଥିବା ଏହିଭଳି ଜଣେ କର୍ତବ୍ୟନିଷ୍ଠ ମଣିଷ ହେଉଛନ୍ତି ସିଫନିୟ ପ୍ରଧାନ । ସ୍ଥାନୀୟ ସହରର ଗାନ୍ଧିଛକ ଦୁର୍ଗାମଣ୍ଡପରେ ସେ ଏବଂ ତାଙ୍କ ପତ୍ନୀ ଝୁନୁ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ସିଫନିୟଙ୍କ ଘର ରାଇକିଆ ବ୍ଲକ ଅନ୍ତର୍ଗତ ବାକିଙ୍ଗିଆ କେତାନାଜୁରେ । ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ । ଝିଅ ବାହା ହୋଇ ସାରିଲେଣି । ବଡ଼ ପୁଅ ଚାଷବାସ କରୁଥିବା ବେଳେ ସାନ ପୁଅ କେରଳରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ସିଫନିୟ ଜଣେ କର୍ତ୍ତବ୍ୟନିଷ୍ଠ ପରିଶ୍ରମୀ ମଣିଷ । ଭାଗ୍ୟର ବିଡମ୍ବନା ନିଜ ଜମିରେ ଚାଷବାସ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ବିଭିନ୍ନ କିସମର ପରିବା ଚାଷ କରି ବେଶ ଭଲ ରୋଜଗାର କରୁଥିଲେ । ହେଲେ ବିଧିର ବିଧାନ ହେଉ କି ଭାଗ୍ୟର ବିଡମ୍ବନା ୧୯୯୧ମସିହା ଠାରୁ ସିଫନିୟ ନିଜ ଦୃଷ୍ଟିଶକ୍ତି ଧୀରେ ଧୀରେ କମିବା ସହ ସମ୍ପୂର୍ଣ ଦୃଷ୍ଟିହୀନ ହୋଇଗଲେ । କଣ କରିବେ ଛୋଟ ଛୋଟ ପିଲା କେମିତି ଚାଲିବ ସଂସାର ରଥ ଚିନ୍ତାରେ ପଡିଲେ । ନିଜ ଦୃଷ୍ଟି ଶକ୍ତି ଫେରି ପାଇବା ପାଇଁ ବହୁ ଚେଷ୍ଟା କଲେ । ବହୁ ସ୍ଥାନରେ ଚିକିତ୍ସା କରେଇଲେ କିଛି ସୁଫଳ ପାଇଲେନି । ତଥାପି ହାର ମାନି ନଥିଲେ । ସ୍ତ୍ରୀ ଝୁନୁ ଏବଂ ବଡ଼ ପୁଅ ଚାଷ କାମ ବୁଝିଲେ ଧୀରେ ଧୀରେ ଘର ଚଳିବା ଆରମ୍ଭ ହେଲା ।ବଡ଼ ପୁଅ ଚାଷ କାମ କରିବା ପରେ ଉତ୍ପାଦିତ ପରିବା କିଏ ବିକ୍ରି କରିବ ଚିନ୍ତା କରୁ କରୁ ସିଫନିୟ ନିଜ ସ୍ତ୍ରୀଙ୍କୁ ସାଙ୍ଗ କରି ନିଜ ଉତ୍ପାଦିତ ପରିବା ବିନ୍ସ,ବନ୍ଧାକୋବି,ଗ୍ରୀନ ମଟର,ଫୁଲକୋବି ଭଳି ବହୁ ସତେଜ ପରିବାକୁ ଧରି ଘୁ.ଉଦୟଗିରି ବଜାରକୁ ଆଣି ବିକ୍ରି କରିବା ଆରମ୍ଭ କଲେ । ସ୍ତ୍ରୀ ବସି ପରିବା ଓଜନ କରୁଥିବା ବେଳେ ସିଫନିୟ ପରିବାର ମୂଲ୍ୟ କହିବା କେତେ କେଜି ନେଲେ କେତେ ଟଙ୍କା ହେଲା କହିବା ସହ ଗ୍ରାହକ କିଭଳି ତାଙ୍କ ପରିବା କିଣିବେ ନିଜ ବାକ ଚାତୁରୀ ପ୍ରୟୋଗ କରି ନିଜ ପରିବାକୁ ବିକ୍ରିକରି ଘରକୁ ଫେରନ୍ତି । ଆଶ୍ଚର୍ଯ୍ୟର କଥା ଜଣେ ଭିନ୍ନକ୍ଷମ ଦୃଷ୍ଟିହୀନ ବ୍ୟକ୍ତି ନିଜର ଦୃଢ଼ ଇଛାଶକ୍ତି ଯୋଗୁଁ ଏବଂ ସ୍ୱାଭିମାନି ହୋଇଥିବା ଯୋଗୁଁ ବୟସକୁ ପଛରେ ପକେଇ ନିଜକୁ ସକ୍ଷମ ଭାବି ବଜାରକୁ ଆସି ବ୍ୟବସାୟ କରି ଥାଆନ୍ତି । ସିଫନିୟ ଭଳି ବ୍ୟତିତ୍ୱ ଆଜିର ସମାଜରେ ବିରଳ । ସିଫନିୟ ଆଜି ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ସୁସ୍ଥ ସବଳ ମଣିଷ ଅଳସୁଆ ହେଉଥିବା ବେଳେ ଜଣେ ଦୃଷ୍ଟିହୀନଙ୍କ ଏହିଭଳି କାର୍ଯ୍ୟ ନିଶ୍ଚିତ ପ୍ରଶଂସନୀୟ ।

Comments (0)
Add Comment