ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷାଦାନ:ମହିଳା ଜୀବିକା ସୁରକ୍ଷା ମଞ୍ଚର ଅଭିନବ ପ୍ରୟାସ

ଘୁ.ଉଦୟଗିରି,୨୮/୭- କରୋନା ମହାମାରୀ ପାଇଁ ଦୀର୍ଘ ୧୭ ମାସ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉନାହାନ୍ତି । ବିକଳ୍ପ ଶିକ୍ଷା ଭାବେ ସରକାର ଅନଲାଇନ ଓ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଅଛନ୍ତି । କିନ୍ତୁ କନ୍ଧମାଳ ଭଳି ଜିଲ୍ଲାରେ ନେଟୱର୍କ ସମସ୍ୟା ଓ ଛାତ୍ରଛାତ୍ରୀମାନଙ୍କ ନିକଟରେ ମୋବାଇଲ ନଥିବା ଯୋଗୁ ଏହା ଫଳପ୍ରଦ ହୋଇପାରିନାହଁ । ତେଣୁ ପାଠପଢାରୁ ବଞ୍ଚିତ ହେଉଥିବା ଓ ପାଠପଢାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାର ବ୍ୟବଧାନକୁ ଦୂରକରିବା ପାଇଁ ମହିଳା ଜୀବିକା ସୁରକ୍ଷା ମଞ୍ଚ,ଘୁ ଉଦୟଗିରି ଶାଖା ପକ୍ଷରୁ ବ୍ଲକର ୮ ଟି ଗ୍ରାମପଞ୍ଚାୟତର ୭୦ ଟି ଗ୍ରାମରେ ୭୧ ଟି ମୋ ଚାଟଶାଳୀ କେନ୍ଦ୍ର ଖୋଲାଯାଇଅଛି । ଏହି ଚାଟଶାଳୀ କେନ୍ଦ୍ର ମାଧ୍ୟମରେ ୯୬ ଜଣ ସ୍ୱେଚ୍ଛାସେବୀ ପ୍ରଥମରୁ ପଞ୍ଚମ ଶ୍ରେଣୀର ୧୧୪୪ ଜଣ ଛାତ୍ରଛାତ୍ରୀମାନଙ୍କୁ ଗତ ମାର୍ଚ୍ଚ ମାସ ଠାରୁ ସମସ୍ତ କୋଭିଡ ନିୟମାବଳୀକୁ ପାଳନକରି ସାହିତ୍ୟ ଓ ଗଣିତ ବିଷୟରେ ଶିକ୍ଷାଦାନ କରିଆସୁଛନ୍ତି । ଏହି କେନ୍ଦ୍ର ଗୁଡିକରେ ପିଲାମାନେ ପ୍ରତ୍ୟେକ ଦିନ ଦୁଇଘଣ୍ଟା ପାଠ ପଢିବା ସହିତ ପରିବେଶର ସୁରକ୍ଷା, ଖେଳକୁଦ, ନାଚଗୀତ ଓ ଚିତ୍ରାଙ୍କନ ମାଧ୍ୟମରେ ହସଖୁସିରେ ପାଠ ପଢୁଛନ୍ତି । ଗ୍ରାମର ଅଭିଭାବକ ମାନଙ୍କ ଦ୍ୱାରା ମନୋନୀତ ସେହି ଗ୍ରାମର ଯୁବକଯୁବତୀ,କଲେଜରେ ପଢୁଥିବା ଛାତ୍ରଛାତ୍ରୀ, ଶିକ୍ଷିତା ମହିଳାମାନେ ବିନା ପାରିଶ୍ରମିକରେ ଶିକ୍ଷାଦାନ କରିଆସୁଛନ୍ତି । ମଞ୍ଚ ତରଫରୁ ସ୍ୱେଛାସେବୀ ମାନଙ୍କୁ ପ୍ରତି ତିନି ମାସରେ ତାଲିମ ପ୍ରଦାନ କରାଯାଉଅଛି । ବ୍ଲକର ଅନ୍ୟାନ୍ୟ ଗ୍ରାମ ଗୁଡିକରେ ଶୀଘ୍ର ମୋ ଚାଟଶାଳୀ କେନ୍ଦ୍ର ଖୋଲାଯିବା ନିମନ୍ତେ କାର୍ଯ୍ୟକ୍ରମ ଜାରିରହିଛି ବୋଲି ମଞ୍ଚ ତରଫରୁ ଜିଲ୍ଲା ସଭାପତି କମଳା ସାହୁ, ସମ୍ପାଦିକା ରିନିମା ପ୍ରଧାନ ଓ ମଞ୍ଚର କାର୍ଯ୍ୟକର୍ତ୍ତା ସସ୍ମିତା ମଲ୍ଲିକ, ମମତା ମଲ୍ଲିକ, ଗୌରୀ ପ୍ରଧାନ, ନିଳିମା ପ୍ରଧାନ ଓ କୃତାଞ୍ଜଳିି ନାୟକ ଜଣାଇଛନ୍ତି ।

Comments (0)
Add Comment