ଆବାସ ଯୋଜନାରୁ ବଞ୍ଚିତ ବିଧବା କୁନି

ଘୁ.ଉଦୟଗିରି,୪/୨- ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ, ଦେରିନାଜୁରେ କୁନି ବଗର୍ତ୍ତୀ ନିଜର ଦୁଇ ଛୁଆଙ୍କୁ ଧରି ତିନିବର୍ଷ ହେଲା ଦୁଃଖ କଷ୍ଟରେ ଜୀବନ ଯାପନ କରୁଥିବା ଦେଖିବାକୁ ମିଳୁଛି । ଝିଅର ବୟସ ୧୩ ଓ ପୁଅର ବୟସ ୭ ବର୍ଷର ଦୁଇଟି ପିଲାକୁ ଧରି କେମିତି ଭଲ ପାଠ ପଢେଇ ପାରିବେ ସେଇ ଚିନ୍ତାରେ ମା । ଅନ୍ୟପଟେ ନିଜ ପରିବାରକୁ ସୁଖ ଶାନ୍ତିରେ ଦେଖିବାପାଇଁ ବେଳେ ଝିଅ ମଧ୍ୟ ମୂଲିଆ ଖଟିବାକୁ ଯାଉଥିବା ମା କହିଛନ୍ତି । ଗତ ୨୦୧୮ ମସିହାରେ ବର୍ଷା ଝଡ଼ରେ ଘର ଭୁଶୁଡ଼ିବା ପରେ ଏଇ ଘରେ ସେଇ ଘରେ ପିଲା ଦୁଇଟିକୁ ଧରି ଡହଳ ବିକଳ ହେଉଛି । ସ୍ୱାମୀ ସୂର୍ଯ୍ୟକାନ୍ତ ବଗର୍ତ୍ତୀ ଦେହାନ୍ତର ତିନି ବର୍ଷ ପରେ ଚଳିତ ବର୍ଷ ଭତ୍ତା ମିଳିଥିବା ବେଳେ ସାଧାରଣ ବଣ୍ଟନରେ ଚାଉଳ ମାତ୍ର ୧୫ କିଲୋ ମିଳୁଛି । ସେଥିରେ ମାସେ ନ ପୁରୁଣୁ ଚାଉଳ ସରିଯାଇଥିବା ବେଳେ ଦୈନିକ ମଜୁରୀ ମିଳୁନଥିବାରୁ ୟା ଘରେ ତା ଘରେ କାମ କରି ନିଜ ଦୁଇଟି ପିଲାକୁ ଭଲରେ ଶିକ୍ଷା ଦେବା ପାଇଁ ମନସ୍ଥ କରିଛନ୍ତି କୁନି ବଗର୍ତ୍ତୀ । ଘର ପାଇଁ ବହୁଥର ଆବେଦନ ପତ୍ର ଦେଲାପରେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ସରକାରୀ ଘର ମିଳିନଥିବା କହିଛନ୍ତି । ଆବାସ ଯୋଜନାରେ ପ୍ରାକୃତିକ ବିପର୍ଯ୍ୟୟରେ ଘର ଖଣ୍ଡେ ମିଳିବ ବୋଲି ଚେଷ୍ଟା କଲେ ତଥାପି କିଛି ନହେବାପରେ ଏବେ ଆଉଜଣଙ୍କ ଘରେ ଆଶ୍ରୟ ନେଇ ଚାଲୁଥିବା ଦେଖିବାକୁ ମିଳୁଛି । ଯାହାର ଅଛି ତାକୁ ପୁଣି ଘର ମିଳୁଛି । ଯାହାର କିଛିନାହିଁ ଆଶ୍ରୟ ନେବାକୁ ମୁଣ୍ଡ ଉପରେ ଚାଳ ନାହିଁ ତାକୁ କେହି ଆଡ଼ ଆଖିରେ ଚାହୁଁନାହାନ୍ତି । ନା ସ୍ଥାନୀୟ ଲୋକ ପ୍ରତିନିଧି ନା ପ୍ରଶାସନିକ ଅଧିକାରୀ । ଦୌଡ଼ିଦୌଡ଼ି ନିରାଶ ହୋଇ ଭାଗ୍ୟକୁ ଆଦରି ପଡିରହୁଛନ୍ତି କୁନିଙ୍କ ଭଳି ଗରିବ ଅସହାୟ ପରିବାର । ସରକାରଙ୍କ ଯୋଜନା ମାଳମାଳ ହେଲେ କାର୍ଯ୍ୟକାରୀ ହୋଇପାରିନି ସଠିକ ଢଙ୍ଗରେ । ଅର୍ଥ ଆସୁଛି ହେଲେ ବିନିଯୋଗ ହୋଇପାରୁନି ସଠିକ କାର୍ଯ୍ୟରେ । ଯଦ୍ୱାରା ବହୁ ଗରିବ ଅସହାୟ ଲୋକ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । କୁନି ଭଳି ବହୁ ଗରିବ ଅସହାୟ ପରିବାର ଆଜିବି ବେଘର ହୋଇ ପଡିରହିଛନ୍ତି । ତୁରନ୍ତ କୁନିଙ୍କୁ ଆବାସ ଯୋଜନାରେ ଗୃହ ଯୋଗେଇ ଦେବା ସହ ଅନ୍ତଦୋୟ ଯୋଜନାରେ ମାସିକ ୩୫କେଜି ଚାଉଳ ଯୋଗେଇ ଦେବାକୁ ସାଧାରଣରେ ଦାବି ହେଉଛି ।

Comments (0)
Add Comment