୧୬ ଦିବସୀୟ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ଅଭିଯାନ ଉଦଯାପିତ

ଘୁ.ଉଦୟଗିରି,୧୦/୧୨- ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଗତ ନଭେମ୍ବର ୨୪ ରୁ ଆରମ୍ଭ ହୋଇଥିବା ୧୬ ଦିବସୀୟ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ଅଭିଯାନ ଓ ଦସ୍ତଖତ ସଂଗ୍ରହ ଅଭିଯାନ ଆଜି ଉଦଯାପିତ ହୋଇଯାଇଛି । ଆକ୍ସନଏଡ, ଭୁବନେଶ୍ୱର, ପ୍ରଦାତ୍ତା, ଘୁ. ଉଦୟଗିରି, ଜାଗୃତି, ଦାରିଙ୍ଗବାଡି ସହଯୋଗରେ କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକ ତଥା ୬୪ଟି ଗ୍ରାମରେ ଏହି ଅଭିଯାନ ସମାପ୍ତ ହୋଇଛି । ସମାଜରେ ମହିଳାମାନଙ୍କର ଗୁରୁତ୍ୱ, ସମାନତା, ସ୍ୱାଭିମାନ, ସ୍ୱତନ୍ତ୍ର ଅଧିକାର, ଲିଙ୍ଗଭିତ୍ତିକ ହିଂସା ମୁକ୍ତ ଓ ସରକାରଙ୍କ ଯୋଜନାରେ ମହିଳାମାନଙ୍କୁ ଅଗ୍ରାଧିକାର ଦେବାପାଇଁ ଏହି ଅଭିଯାନର ମୂଳଲକ୍ଷ୍ୟ । ଏକାକୀ ମହିଳା, ବିଧବା ମହିଳା ଓ ମହିଳାମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ଓ ବ୍ୟବସ୍ଥା ଥିବା ସତ୍ତେ୍ୱ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଉନଥିବା ହେତୁ ପ୍ରତିବର୍ଷ ଭଳି ଚଳିତବର୍ଷ ୧୬ ଦିବସୀୟ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ଅଭିଯାନ ସମାପ୍ତ ହୋଇଯାଇଛି । ଅନ୍ତରଙ୍ଗ ଯୁବ ମହାସଂଘର ସଦସ୍ୟ ସଦସ୍ୟାମାନେ ବିଭିନ୍ନ ଗାଁରେ ଏହି ଅଭିଯାନ ମାଧ୍ୟମରେ ସଚେତନତା କରୁଛନ୍ତି । ମହିଳାମାନେ ସୁରକ୍ଷିତ ରହିଲେ ସମାଜରେ ହିଂସାମୁକ୍ତ ହୋଇପାରିବ ବୋଲି ବାର୍ତ୍ତା ଦେଇଛନ୍ତି । ଆଗାମୀ ଦିନରେ ସମାଜରେ ମହିଳା ମାନଙ୍କ ପ୍ରତି ହିଂସା, ଅତ୍ୟାଚାର ପ୍ରତିରୋଧ କରିବା ପାଇଁ ବିଭିନ୍ନ ଗାଁର ମହିଳାମାନେ ଏହି ଅଭିଯାନରେ ସାମିଲ ହୋଇ ନିଜ ଅଧିକାର ପାଇଁ ଲଢେଇକରିବେ ବୋଲି ମତ ପ୍ରକାଶ କରିଛନ୍ତି ।

Comments (0)
Add Comment