ଗଜପତି,୨/୬:- ସାରା ଦେଶ ପାଇଁ ଗରିବ କଲ୍ୟାଣ ସମ୍ମିଳନୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ସମ୍ମିଳନୀ ମାନ୍ୟବର ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ସିମଲା ଠାରୁ ଭିଡ଼ିଓ କନଫେରେସିଂ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାସ୍ତରରେ ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି. ତିରୁପତି ରାଓ , ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ ରାଓ ଏବଂ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ୟୁନିୟନ୍ ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାଳିତ ହେଉଥିବା ଆଜାଦି କି ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସୂଚନା ଏବଂ ସଫଳ ରୂପାୟନ ଭାବରେ ମାନ୍ୟବର ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହାସହ ବିଭିନ୍ନ ପ୍ରଦେଶର କିଛି ହିତାଧିକାରୀଙ୍କ ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ କଥାହୋଇ ଯୋଜନାର ସଫଳ ରୂପାୟନ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ୧୦ କୋଟି ହିତାଧିକାରୀ ମାନଙ୍କୁ ପ୍ରାୟ ୨୧ ହଜାର କୋଟି ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , କାର୍ଯ୍ୟନିର୍ବାହୀ ଅଧିକାରୀ , ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମାଝୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ, ଏନ୍.ଏ.ସି , କାଶୀନଗର ଶ୍ରୀମତୀ ସତ୍ୟ ସମ୍ପନ୍ନା ରାଉତ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ଏବଂ ଆଶାକର୍ମୀ ମାନେ ଉପସ୍ଥିତ ଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କର୍ମଚାରୀ ଏହାକୁ ପରିଚାଳନା କରିଥିଲେ ।