ନୂତନ ରାଜସ୍ୱ ଉପଖଣ୍ଡ କାର୍ଯ୍ୟାଳୟ ସ୍ଥାପନ ନିମନ୍ତେ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାରଳାଖେମୁଣ୍ଡି,୯/୧୦- ଗଜପତି ଜିଲ୍ଲା ଆର ଉଦୟଗିରିକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦିଆଯାଉ ଏହି ମର୍ମରେ ଭାରତ ବିକାଶପରିଷଦ ଓ ଆର ଉଦୟଗିରି ବିକାଶ ମଞ୍ଚ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ପରିଷଦର ପାଞ୍ଚ ଜଣିଆ କମିଟି ଓ ସ୍ଥାନୀୟ ବିକାଶ ମଞ୍ଚର କର୍ମକର୍ତ୍ତା ସରପଞ୍ଚ ସଂଯୁକ୍ତା ପୂଜାରୀ, କେତେକ ବୁଦ୍ଧିଜୀବୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଦାବୀ ଉପସ୍ଥାପନ କରିଥିଲେ । ମୋହନା,ନୂଆଗଡ ଆର ଉଦୟଗିରି ରାୟଗଡ ବ୍ଲକକୁ ନେଇ ଆର ଉଦୟଗିରି ଠାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟ ।ଳୟ ସ୍ଥାପନ ଦାବୀ କରିଛନ୍ତି । ଆଗାମୀ ଗୋଟିଏ ମାସ ମଧ୍ୟରେ ଯଦି ଦାବୀ ପୂରଣ ନ ହୁଏ ତାହାହେଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗଜପତି ଜିଲ୍ଲା ଗଠନ ଠାରୁ ପାରଳାଖେମୁଣ୍ଡି ସବ୍‌ ଡିଭିଜନ ସହ ୭ଟି ବ୍ଲକ ଓ ତହସିଲ,୧୪୯ ଟି ଗ୍ରାମପଞ୍ଚାୟତ ଓ ୧୬୧୯ ଟି ରାଜସ୍ୱ ମୌଜା ତଥା ପାରଳାଖେମୁଣ୍ଡି ସହରାଞ୍ଚଳ ରହିଛି ୨୦୧୧ ଜନଗଣନା ଅନୁସାରେ ଗଜପତି ଜିଲ୍ଲାରେ ୭ ଟି ବ୍ଳକ ଓ ପାରଳାଖେମୁଣ୍ଡି ସହରାଞ୍ଚଳକୁ ନେଇ ମୋଟ ଜନସଂଖ୍ୟା ୫ ଲକ୍ଷ ୭୭ ହଜାର ୮୧୭ ଅଟେ । ସେଥିମଧ୍ୟରୁ ଆଦିବାସୀ ଜନସଂଖ୍ୟା ୩ ଲକ୍ଷ ୧୩ ହଜାର ୭୧୪ । ମୋଟଜନସଂଖ୍ୟା ଶତକଡ଼ା ୫୫ ପ୍ରତିଶତ ଅଟେ । ସେଥିମଧ୍ୟରୁ ମୋହନା, ଆରଉଦୟଗିରି, ନୂଆଗଡ ଆଦିବାସୀ ବହୁଳ ଅଟେ । ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ଦୂରତା ମୋହନା ବ୍ଳକ ଦୂରତା ୧୦୭ କି ମି, ସେହିପରି ଆର ଉଦୟଗିରି ଠାରୁ ୬୦ କି ମି, ନୂଆଗଡ଼ ବ୍ଳକ ୮୫ କି ମି, ରାୟଗଡ଼ ବ୍ଳକ ୩୦କି ମି ଦୂର ଆଦିବାସୀ ହରିଜନ ଯଥା ସାଧାରଣ ଜନତା ଉପ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାତାୟାତ କରିବା ଅତ୍ୟନ୍ତ ବ୍ୟୟବହୁଳ ଓ ସମୟସାପେକ୍ଷ ଅଟେ । ପାହାଡ଼ ଓ ଜଙ୍ଗଲ ଘେରି ରହିଥିବା ହେତୁ ଏହା ଏକ ନକ୍ସଲ ପ୍ରବଣ ଜିଲ୍ଲା ଭାବେ ପରିଗଣିତ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଲୋକଙ୍କ ପାଖରେ ପ୍ରଶାସନ ଓ ସରକାର କିଭଳି ସହଜରେ ପହଞ୍ଚିବେ ସେ ଲକ୍ଷ୍ୟରେ ୧୩ ଜିଲ୍ଲାକୁ ୩୦ ଜିଲ୍ଲା କରିଥିଲେ । ଗଜପତି ଜିଲ୍ଲା ଗଠନ ବେଳେ ପାରଳାଖେମୁଣ୍ଡିରେ ସଦର ମହକୁମା କରାଗଲା । ଆର ଉଦୟଗିରି ମୋହନା ନୂଆଗଡ ଓ ରାୟଗଡକୁ ନେଇ ଏକ ରାଜସ୍ୱ ଉପଖଣ୍ଡ କାର୍ଯ୍ୟଳୟ ଆର ଉଦୟଗିରିଠାରେ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଛି । ଭୌଗଳିକ,ସାମାଜିକ ପ୍ରଶାସନିକ ଗମନା ଗମନ ଆଦି ଦୃଷ୍ଟିରୁ ଆର ଉଦୟଗିରି ବ୍ଳକ ଏହି ଚାରୋଟି ବ୍ଳକର କେନ୍ଦ୍ରସ୍ଥଳ ଆର ଉଦୟଗିରି ଠାରେ ବ୍ଳକ ଅଫିସ ତହସିଲ କାର୍ଯ୍ୟାଳୟ ସବଜେଲ ଏସ୍‌ ଡି ପିଓ ଅଫିସ ଜୁଡି ସିଆଲ କୋର୍ଟ ସବ ରେଜିଷ୍ଟାର ଅଫିସ ଏବଂ ସମସ୍ତ ଉପଖଣ୍ଡସ୍ତରୀୟ କାର୍ଯ୍ୟ ।ଳୟ ରହିଛି । ଏଣୁ ଆରଉଦୟଗିରିରେ ଉପଖଣ୍ଡ ଅଫିସ ସ୍ଥାପନ କରାଗଲେ ଅଞ୍ଚଳବାସୀଙ୍କ ହିତ ସାଧିତ ହେବ ବୋଲି ଦର୍ଶାଯାଇଛି ।

Comments (0)
Add Comment