ଉତ୍ତର ପ୍ରଦେଶ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ଗଜପତି,୨୪/୨- ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୮ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଉତ୍ତରପ୍ରଦେଶ ରାଜ୍ୟର ମୁରାଦାବାଦ ସହରର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଗତ ଲକଡାଉନ ଏବଂ ସଟଡାଉନ ସମୟରେ ଜିଲ୍ଲାର ବିଭିନ୍ନ ଜାଗାରୁ ପରିତ୍ୟକ୍ତ ଏବଂ ସମର୍ପିତ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ ସାଲୋମ ପାରଳାଖେମୁଣ୍ଡିରେ ରଖାଯିବା ସହ ସେମାନଙ୍କର ଏଡପସନ୍‌ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡା କରାଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଶିଶୁଟିକୁ ଶିଶୁ ମଙ୍ଗଳ ସମିତି ଗଜପତି ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ । ଯାହାଦ୍ୱାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ ତାହା ସମସ୍ତଙ୍କୁ ପୋର୍ଟାଲ ମଧ୍ୟାମରେ ଜଣାଇ ଦିଆଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ତିନି ବର୍ଷ ଧରି ଏକ ପୁତ୍ର ସନ୍ତାନ ପାଇଁ ଅନଲାଇନ ମଧ୍ୟାମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦଂପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଉପରୋକ୍ତ ଦମ୍ପତ୍ତି ଶାରିରୀକ ଭାବେ ଶିଶୁକୁ ପସନ୍ଦକରି ନେବାପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଗଜପତି ପ୍ରସ୍ତୁତ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଉତ୍ତରପ୍ରଦେଶର ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା । ଏହି ଶିଶୁଟି ପୁତ୍ର ସନ୍ତାନ ହୋଇଥିବା ବେଳେ ଏହାର ବୟସ ୪ ମାସ ହୋଇଥିଲା । ଶିଶୁଟିକୁ ପାଇ ଦମ୍ପତ୍ତି ବେଶ ଖୁସିଥିବା ଲକ୍ଷ୍ୟ କରାଯାଇଥିଲା । ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ, ନିଶାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments (0)
Add Comment