ଆଜାଦିକା ଅମୃତ ମହୋତ୍ସବ ଅବସରରେ ମକଡ୍ରିଲ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୨୯/୧୨- ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଆଜାଦିକା ଅମୃତ ମହୋତ୍ସବ ଅବସରରେ ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଓ ସଚେତନତା ସଭା ଆୟୋଜିତ ହୋଇଯାଇଛି । ପାରଳାଖେମୁଣ୍ଡି ଉପକଣ୍ଠର ବୃନ୍ଦାବନ ପ୍ୟାଲେସ ତଟରେ ବହିଯାଉଥିବା ଚିରସ୍ରୋତା ମହେନ୍ଦ୍ରତନୟା ନଦୀରେ ଏହି ମକଡ୍ରିଲ ଆୟୋଜିତ ହୋଇଥିଲା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟର କଡା ମୁକାବିଲା କରିବା ସମୟରେ ଧନସଂପତ୍ତି ଅପେକ୍ଷା ମନୁଷ୍ୟ ତଥା ପ୍ରାଣୀଧନର ଜୀବନ ବଞ୍ଚାଇବା ଦିଗରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହାସହ ପ୍ରାକୃତିକ ବିପର୍ଯ୍ୟୟ କିପରି ସଫଳତାର ସହ ମୁକାବିଲା କରାଯାଇପାରିବ ଏବଂ ଧନଜୀବନ କ୍ଷୟକ୍ଷତିରୁ ରକ୍ଷା କରାଯାଇପାରିବ ସେଥିପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ ବୋଲି କହିଥିଲେ । କଟକରୁ ଆସିଥିବା ଏନ୍‌ଡିଆର୍‌ଏଫ୍‌ ଦଳ ଜିଲ୍ଲା ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କୁ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ନେଇ ବିଶେଷ ତାଲିମ, ସଜାଗ ଓ ଉଦ୍ଧାର କାର୍ଯ୍ୟକ୍ରମକୁ କିପରି ତ୍ୱରାନ୍ୱିତ କରିବେ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ପିଏଆଇଟିଡିଏ ସରୋଜ କୁମାର ବେହେରା, ଅଗ୍ନିଶମ ଅଧିକାରୀ ରଜନୀକାନ୍ତ ଗୌଡ଼ ଉପସ୍ଥିତ ଥିଲେ । ଏନ୍‌ଡିଆର୍‌ଏଫ ସମେତ ତିନି ବାହିନୀର ଅଧିକାରୀ ଏସକେ ପ୍ରସାଦ, ବିନୋଦ ମିନ୍ନା ଓ ରାଜପାଳ ଗୁଜୁରାଲ ପ୍ରମୁଖ ଉପସ୍ଥିତଥିଲେ ।

Comments (0)
Add Comment