ତିତିଲି ବାତ୍ୟାରେ ଅନାଥ ହୋଇଥିବା ପିଲାଙ୍କୁ ଗଜପତି ଜିଲ୍ଲାପାଳ ଅନୁପମ ସାହା ଭେଟିଲେ

ପାରଳାଖେମୁଣ୍ଡି,୧୦/୧୦- ତିତିଲି ବାତ୍ୟାକୁ ୨ ବର୍ଷ ପୁରିବାକୁ ଯାଉଥିଲା ବେଳେ ସେହିବାତ୍ୟାରେ ବାପା ମାଆ ହରାଇ ଅନାଥ ହୋଇଥିବା ୫ ଜଣ ପିଲାଙ୍କୁ ଗଜପତି ଜିଲ୍ଲାପାଳ ଅନୁପମ ସାହା ଭେଟି ତାଙ୍କ ସହ ପ୍ରାୟ ଏକ ଘଣ୍ଟା କଟାଇ ଥିଲେ । ପ୍ରକାଶ ଥାଉକି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତିତିଲି ବାତ୍ୟା ପରେ ଘୋଷଣା କରିଥିଲେଯେ ଅନାଥ ହୋଇଥିବା ପିଲାଙ୍କୁ ସରକାର ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ ତାପରେ ଗଜପତି ଜିଲ୍ଲା ପ୍ରଶାସନ ସେହି ପିଲାମାନଙ୍କୁ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରାଇ ଥିଲେ । ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶକ୍ରମେ ଛଅ ଜଣ ପୁଅ ବିବେକାନନ୍ଦ ଆବାସିକ ବିଦ୍ୟାଳୟ ଶିଶୁ ଯତ୍ନ ଓ ଶିଶୁ ସୁରକ୍ଷା ଅନୁଷ୍ଠାନ ଗ୍ରାମ ଏସ ଉରୁଡା ପଞ୍ଚାୟତ ରମ୍ପା ଗୋଶାଣୀ ପଞ୍ଚାୟତ ସମିତିରେ ରହି ଆସିଥିବା ବେଳେ ଝିଅ ଗୋଟିଏ ନବଜୀବନ ବ୍ଲାଇଣ୍ଡ ଏବଂ ରିଲିଫ କେନ୍ଦ୍ର ପାରଳାଖେମୁଣ୍ଡିରେ ରହି ଆସୁଅଛି ।ଏହି ପିଲାମାନଙ୍କର ଖାଇବା, ରହିବା,ପଢିବା,ପିନ୍ଧିବା ଓ ଯାବତୀୟ ଖର୍ଚ୍ଚ ରାଜ୍ୟ ସରକାର ତୁଲାଇ ଆସୁଛନ୍ତି । ଜିଲ୍ଲାପାଳ ଏହି ଗସ୍ତ ସମୟରେ ପିଲାଙ୍କୁ ମିଠା ବାଣ୍ଟିବା ସହ ସେମାନଙ୍କ ଗହଣରେ ବସି ମିଠା ଖାଇଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ପିଲାମାନଙ୍କ ସହ କ୍ରିକେଟ ଓ ବ୍ୟାଡମିଣ୍ଟନ ଖେଳି ଥିଲେ । ପ୍ରତି ପିଲାଙ୍କର ଜଣ ଜଣ କରି ଭଲ ମନ୍ଦ ବୁଝିବା ସହ ପାଠ ପଢା ଏବଂ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ତିତିଲି ବାତ୍ୟାରେ ଅନାଥ ହୋଇଥିବା ଗୋଟିଏ ପିଲା ସୀମାଞ୍ଚଳ ଶବର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶ ପରୀକ୍ଷା ଦେଇ ଏକ ସିଟ ପାଇଥିବା ଶୁଣି ଜିଲ୍ଲାପାଳ ଖୁସି ଅନୁଭବ କରିଥିଲେ । ପିଲାମାନଙ୍କ ପାଇଁ ବ୍ୟାଡମିଣ୍ଟନ ଖେଳର ସାମଗ୍ରୀ, କ୍ରିକେଟ ଖେଳ ସାମଗ୍ରୀ ସୋଲାର ଲାଇଟ ଯୋଗାଣ କରିବା ସହ ଆବଶ୍ୟକ ଥିବା ପାଚେରୀ ତିଆରି କରିବାର ପ୍ରତିଶୃତି ଦେଇଥିଲେ ।

Comments (0)
Add Comment