ଗଜପତି,୧୭/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଦ୍ୱାରା ରଜ ମହୋତ୍ସବ ପାଳିତ ହୋଇଯାଇଛି । ନାରୀ ଓ ଧରିତ୍ରୀ ମାତାର ସମାନତା ଆମ ସାମାଜିକ ପରମ୍ପରାକୁ ଦୃଢ଼ୀଭୂତ କରିଥାଏ ଏହି ପର୍ବ । ରଜ ପର୍ବ କେବଳ ଉପକୂଳ ଓଡ଼ିଶାରେ ସୀମିତ ନ ରହି ସବୁ ଜିଲ୍ଲାବାସୀ ରଜର ମହତ୍ତ୍ୱ ଅନୁଭବ କରିପାରିବେ ଏହି ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଗଜପତି ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଅନାଥଶ୍ରମର ଝିଅ ମାନଙ୍କ ସହ ବିଭିନ୍ନ ଅନୁଷ୍ଠାନର ଯୁବତୀ ଓ ମହିଳାମାନେ ଦୋଳିରେ ଝୁଲି ରଜ ଉତ୍ସବର ମଜା ଉଠାଇଥିଲେ । ରଜ ପାନ ସହ ବିଭିନ୍ନ ପିଠା ପଣା ବିତରଣ କରାଯିବା ସହ ନାଚ ଗୀତରେ ମସଗୁଲ ହୋଇ ଥିଲେ ଝିଅ ଓ ମହିଳା ମାନେ । ଏହି ଅବସରରେ ଝିଅମାନେ ଓଡିଶୀ ନୃତ୍ୟସହ ରଜ ସମ୍ପର୍କିତ ଗୀତ ନାଚ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, ସହକାରୀ ଜିଲ୍ଲାପାଳ ଜୁବୁଲି ଚରଣ ବେହେରା ଓ ଏସ ଡି କିରଣ କୁମାର ମହାନ୍ତି, ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ । ଏଥି ସହିତ ବିଭିନ୍ନ ଜିଲ୍ଲା ଅଧିକାରୀ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ ସୀସା, ସଙ୍ଗୀତ ଗୁରୁ ରଘୁନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡକ୍ଟର କଲ୍ୟାଣି ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ନରସିଂହ ବାଜୁବନ୍ଧ, ପ୍ରଦୀପ ରଥ ପ୍ରମୁଖ ସହଯୋଗ କରିଥିଲେ । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଯୁବତୀ ଓ ମହିଳାମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ।