ଗଜପତି,୭/୬- ଗଜପତି ଜିଲ୍ଲା ବିଜେପି କୃଷକମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ରରେ ଉଲ୍ଲେଖ ଅଛି ଯେ ରବି ଋତୁରେ ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା, ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ଏବଂ ଚାଷୀଙ୍କ ଅନ୍ୟାନ୍ୟ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି । ମେ ୧ ତାରିଖରୁ ରବି ଋତୁରେ ଧାନ କିଣା ମଣ୍ଡିରେ ଆରମ୍ଭ ହେବାର ବିଧି ଥିବାବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମେ ୫ ତାରିଖରୁ ନେଇ ମେ ୧୫ ତାରିଖ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ତାରିଖରେ ରାଜ୍ୟ ସରକାର ମଣ୍ଡିର ବ୍ୟବସ୍ଥା କରିଛନ୍ତି । ଗତ ଖରିଫ ଋତୁରେ ଧାନ କିଣା ବିକାରେ ଯେଉଁ ଅବ୍ୟବସ୍ଥା ସୃଷ୍ଟି ହେଲା ଓ ଚାଷୀ ମାନଙ୍କ ଧାନ ମଣ୍ଡିରେ ମାସ ମାସ ଧରି ପଡିରହିବା ପରେ ସରକାର ଚାଷୀଙ୍କ ଧାନ ନ କିଣିବାରୁ ବାଧ୍ୟହୋଇ ଚାଷୀ ଖୋଲା ବଜାରରେ କମ ଦରରେ ବିକ୍ରି କରି କ୍ଷତି ସହିବାକୁ ପଡିଥିଲା । ବର୍ତ୍ତମାନ ରବି ଋତୁରେ ଧାନ କିଣା ବିକାରେ ସମାନ ସ୍ଥିତି ହୋଇଛି । ଚାଷୀଙ୍କ ଟୋକେନ୍ ଏବେଠୁ ଲେପସ ହୋଇଥିବାରୁ ୧୧୦୦ ରୁ ୧୨୦୦ ଟଙ୍କାରେ ଚାଷୀ ଖୋଲା ବଜାରରେ ଚାଷୀ ଧାନ ବିକ୍ରି କରୁଛନ୍ତି । ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବି ଗୁଡିକ ହେଲା ରବିଋତୁ ପାଇଁ ଯେତେ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରି ସାରିଛନ୍ତି ସେ ସମସ୍ତ ଚାଷୀଙ୍କ ଧାନ କିଣିବା ପାଇଁ ସରକାର ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରନ୍ତୁ, ଚାଷୀଙ୍କୁ ଧାନ ବିକ୍ରି ପାଇଁ ଦିଆଯାଇଥିବା ଯୋଜନାର ସମୟ ସୀମା ନିର୍ଦ୍ଧାରଣ ନ କରି ଟୋକେନ୍ ପାଇଥିବା ଚାଷୀଙ୍କ ଧାନ ମଣ୍ଡିରେ ପହଞ୍ଚିବା ପରେ ଏହାର କିଣିବାର ଦାୟିତ୍ୱ ରାଜ୍ୟ ସରକାର ବହନ କରନ୍ତୁ, ଧାନଲୋଡିଙ୍ଗ, ଅନଲୋଡିଙ୍ଗ, ପରିବହନ,ବସ୍ତା ଅଖାର ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ଦେଉଥିବା ବେଳେ ଚାଷୀଙ୍କୁ ପ୍ରଦାନ କରାଯାଉନି । ଏହିଭଳି ବିଭିନ୍ନ ଦାବି ଉପସ୍ଥାପନ କରା ଯାଇଛି । ଏହି ସ୍ମାରକପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଭାଜପା ଉପ ସଭାପତି ଜଗନ୍ନାଥ ମହାପାତ୍ର, ପି.କ୍ରାନ୍ତି,ରମାକାନ୍ତ ପାଣିଗ୍ରାହୀ,କେ. ଯୁବରାଜ୍ ପ୍ରମୁଖ ଉପସ୍ଥିତ ଥିଲେ ।