ବିଜ୍ଞାନ ପ୍ରଦର୍ଶନୀ ମେଳା

ପାରଳାଖେମୁଣ୍ଡି,୪/୯- କୋଭିଡ-୧୯ର ଗାଇଡ଼୍‌ ଲାଇନ୍‌କୁ ପାଳନକରି ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡି ଠାରେ ଗଣପତି ସାବତ ଫାଉଣ୍ଡେସନ,ଭୁବନେଶ୍ୱର ଆନୁକୂଲ୍ୟରେ ହାଇସ୍କୁଲ ପିଲାଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ବିଜ୍ଞାନ ପ୍ରଦର୍ଶନୀ ସକାଳ ୧୦ଟାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରଥମେ ସମସ୍ତ ଅତିଥିଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ହୋଇଥିଲା । ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ ଉଦ୍ଭିଦ ବିଜ୍ଞାନର ପ୍ରଫେସର ଡ଼ଃ ମଳୟ କୁମାର ମିଶ୍ର ଯୋଗ ଦେଇଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟ ଉଦୟ ନାରାୟଣ ମିଶ୍ର ସଭାପତିତ୍ୱ କରିଥିଲେ । ନୀଳକଣ୍ଠ ନଗର ସରସ୍ୱତୀ ଡିଗ୍ରୀ ବିଦ୍ୟା ମନ୍ଦିର ର ଅଧ୍ୟକ୍ଷ ଡ଼ଃ. ସୁବ୍ରତ ପାଣିଗ୍ରାହୀ, ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼ଃ ଶଙ୍କର ନାରାୟଣ ବେଜ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥିଭାବେ ଗଜପତି ଜିଲ୍ଲାର ବିଜ୍ଞାନ ପର୍ଯ୍ୟବେକ୍ଷକ ସାତ୍ମିକ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଗଣେଶ ସାବତ ଫାଉଣ୍ଡେସନ ସଭାପତି ବିଜ୍ଞାନ ମେଳାର ଉଦଘାଟନ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଆଚାର୍ଯ୍ୟା ଶ୍ରୀମତୀ ଶ୍ରଦ୍ଧାମୟୀ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଚଳିତବର୍ଷ ୬୬ଟି ପ୍ରକଳ୍ପ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ତନ୍ମଧ୍ୟରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡିର ଛାତ୍ରୀ ସୁଶ୍ରୀ ଲିପ୍‌ସିତା ଖଡଗରାୟ ପ୍ରଥମ ସ୍ଥାନ , ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଶ୍ରୀମାନ୍‌ ତରୁଣ ଦାସ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ପାରଳାଖେମୁଣ୍ଡିର ଛାତ୍ରୀ ସୁଶ୍ରୀ ସୁଚିତା ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା ।

Comments (0)
Add Comment