ଗୋଶାଣି ବ୍ଳକରେ ପଞ୍ଚମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ

ଗଜପତି,୨୫/୨- ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସମାପନ ହୋଇଯାଇଛି । ବୁଥ ର‍୍ୟାଗିଂ ଯୋଗୁଁ ବଡ଼ ଗୋଶାଣି ଗ୍ରାମ ପଞ୍ଚାୟତର ୱାର୍ଡନମ୍ବର ୧୧ ଏବଂ ଅଗରଖଣ୍ଡି ଗ୍ରାମପଞ୍ଚାୟତର ୱାର୍ଡନମ୍ବର ୯ରେ ମତଦାନ ବାଧାପ୍ରାପ୍ତ ହୋଇଛି । ଏଣୁ ଆଜି ୨୫ ପୂର୍ବାହ୍ନ ୧୦.୦୦ ଘଣ୍ଟିକା ଠାରୁ ଅପରାହ୍ନ ୩.୦୦ ଘଂଟିକା ପର୍ଯ୍ୟନ୍ତ ଉଭୟ ୱାର୍ଡରେ ପୁନଃ ମତଦାନ ହେଉଛି । ଏହି ଦୁଇ ୱାର୍ଡ଼ ବ୍ୟତୀତ ଅନ୍ୟ ସମସ୍ତ ପଦବୀ ନିମନ୍ତେ ସଫଳ ତଥା ଶାନ୍ତିପୂର୍ଣ୍ଣ ମତଦାନ ହୋଇଅଛି । ରିପୋର୍ଟ ଅନୁଯାୟୀ ଗୋଶାଣି ବ୍ଳକରେ ୭୧.୧୧% ମତଦାନ ହୋଇଥିବାର ସୂଚନା ମିଳିଛି । ଏହି ପର୍ଯ୍ୟାୟରେ ଗୋଶାଣି ବ୍ଳକର ତାଟିପେଟି ଗ୍ରାମ ପଞ୍ଚାୟତରେ ସର୍ବନିମ୍ନ ୫୫% ଓ ରମ୍ପା ଗ୍ରାମ ପଞ୍ଚାୟତରେ ସର୍ବାଧିକ ୮୪.୮% ମତଦାନ ହୋଇଥିବା ଜଣାପଡ଼ିଛି । ଗୋଶାଣି ବ୍ଳକରେ ଶାନ୍ତିପୂର୍ଣ୍ଣ ତଥା ସଫଳ ମତଦାନ ନିମନ୍ତେ ଜନସାଧାରଣଙ୍କ ଅକୁଣ୍ଠିତ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନ ଧନ୍ୟବାଦ ଜଣାଇଛନ୍ତି ।

Comments (0)
Add Comment