ଗଜପତି (ହୀପ୍ର) : ଗଜପତି ଜିଲ୍ଲା ନାଗରିକ ମଞ୍ଚ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶାରଳା ଦେବ ପଟ୍ଟନାୟକ, ଅଶ୍ୱିନୀ କୁମାର ପାଢୀ, ଉପାନ୍ତ ପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ମଞ୍ଚାସିନ ଥିଲେ ।
ଏଥିରେ ଛାତ୍ର,ଅଧ୍ୟାପକ,ଶିକ୍ଷକ,ଆଇନଜୀବୀ, କୃଷକ,ଶ୍ରମିକ,ବ୍ୟାଙ୍କକର୍ମଚାରୀ, ବ୍ୟବସାୟୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ,ସାହିତ୍ୟିକ,ଗବେଷକ, ଐତିହାସିକ,ସମାଜସେବୀ,ସାମ୍ବାଦିକମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରେ ଓଡ଼ିଶା ସରକାର ପ୍ରସ୍ତୁତ କରିଥିବା ଭିଜନ ଡକ୍ୟୁମେଣ୍ଟ ୨୦୩୬,୨୦୪୭ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ସମ୍ଭାବ୍ୟ ବିକାଶ ଦୃଶ୍ୟପଟ କିପରି ରହିବା ଆବଶ୍ୟକ ତାହାର ଉଲ୍ଲେଖ ସହିତ ସମସ୍ତଙ୍କ ସହମତିରେ ଏକ ଦାବି ତାଲିକା ପ୍ରସ୍ତୁତ କରାଯାଇଛି ।
ଏହାସହ କୃଷି, ଜଳସେଚନ,ପର୍ଯ୍ୟଟନ, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହ ପାରଳାଖେମୁଣ୍ଡିର ସାମଗ୍ରିକ ବିକାଶକୁ ନେଇ ଏକ ଦାବୀ ପ୍ରସ୍ତୁତ କରାଯାଇଛି । ଏଥିରେ କାର୍ଯ୍ୟକାରିତା ପାଇଁ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ୩୧ ଜଣିଆ କାର୍ଯ୍ୟନିର୍ବାହୀକା ସମିତି ଗଠନ କରାଯାଇଥିବା ନେଇ ସୂଚନା ମିଳିଛି ।
ଏହି ସମିତି ଆବଶ୍ୟକୀୟ ସ୍ୱତନ୍ତ୍ର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ସରକାରଙ୍କ ସହ ସଂଯୋଗ ରକ୍ଷା ଓ ସହଯୋଗ ପୂର୍ବକ ସମସ୍ତ ବିହିତ ପଦକ୍ଷେପ ନେବାକୁ ସଭାରେ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା ଓ ଶିକ୍ଷାବିତ ଶ୍ୟାମ ସୁନ୍ଦର ଗନ୍ତାୟତ ସଂଯୋଜନା କରିଥିଲେ ।