ଛାତ୍ରୀଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ

ପାରଳାଖେମୁଣ୍ଡି,୨୧/୮:- ଗଜପତିର ୯୧ ଜଣ ଛାତ୍ରୀଙ୍କୁ ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ଦକ୍ଷତା ଉନ୍ନୟନ ଅନୁଷ୍ଠାନ ପରିଦର୍ଶନ କାର୍ଯ୍ୟକ୍ରମକୁ ଗତକାଲି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରକାଶଥାଉକି ଉକ୍ତ ୯୧ ଜଣ ଛାତ୍ରୀଙ୍କ ମଧ୍ୟରେ ୫୧ ଜଣ ମାତୃପିତୃହୀନ ଛାତ୍ରୀ ଅଛନ୍ତି, ଯେଉଁମାନେ କି ବର୍ତ୍ତମାନ ଆଇ.ଟି.ଆଇ, ଗୁମ୍ମା ଏବଂ ରାୟଗଡ଼ ଓ ପଲିଟେକନିକ୍‌, ଗଜପତି, ପାରଳାଖେମୁଣ୍ଡିରେ ଅଧ୍ୟୟନରତ । ଅନ୍ୟମାନଙ୍କ ମଧ୍ୟରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ପରିବାର ମାନଙ୍କ ମଧ୍ୟରୁ ଅନ୍ୟ ୪୦ ଜଣ ଛାତ୍ରୀ ଅଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କ ମଧ୍ୟରେ ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶରେ ନାମ ଲେଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିବା । ଫଳସ୍ୱରୂପ ଅଧିକରୁ ଅଧିକ ଝିଅପିଲାମାନେ ଶିଳ୍ପକ୍ଷେତ୍ରରେ ଯୋଗଦାନ ପାଇଁ ସୁଯୋଗ ପାଇବେ ଏବଂ ସେମାନେ ଜୀବିକା ପାଇଁ ଆତ୍ମନିର୍ଭରଶୀଳ ହେବେ । ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ନିୟୋଜନ ଅଧିକାରୀ ସୌଭାଗ୍ୟ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଚାଲିଥିବାବେଳେ ଛାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ନେବା ଆଣିବା ନିମନ୍ତେ ଅନ୍ୟ ୧୦ ଜଣ କର୍ମଚାରୀ ଯଥା ଶିଶୁ ଯତ୍ନ ଅନୁଷ୍ଠାନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଆଇ.ଟି.ଆଇ ଅନୁଷ୍ଠାନ, ଚାଇଲଡ଼ଲାଇନ୍‌ ଏବଂ ରା.ଉଦୟଗିରିର ଜଣେ ସମାଜସେବୀ ସହଯୋଗୀ ଭାବେ ନିୟୋଜିତ ଅଛନ୍ତି । ଛାତ୍ରୀମାନେ ଆଜି ବିଶ୍ୱ ଦକ୍ଷତା କେନ୍ଦ୍ର, ଦକ୍ଷତା ଉନ୍ନୟନ ଅନୁଷ୍ଠାନ, ଭୁବନେଶ୍ୱର, ବୈଷୟିକ ଓ ପ୍ରଯୁକ୍ତିବିଦ୍ୟା , ଖୋର୍ଦ୍ଧା ବୁଲି ଦେଖିଛନ୍ତି । ଉକ୍ତ ଅନୁଷ୍ଠାନକୁ ଝିଅମାନଙ୍କୁ ବୁଲି ଦେଖାଇବାରେ ସାହାଯ୍ୟ କରିଥିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଶ୍ରୀ ମହେନ୍ଦ୍ର କୁମାର ଲେଙ୍କା ଏବଂ ବୈଷୟିକ ଓ ପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନର ଶୁଭେନ୍ଦୁ ପରିଡ଼ା ।

Comments (0)
Add Comment