ଭୁବନେଶ୍ୱର : ଆଜି ପବିତ୍ର ଗଣେଶ ଚତୁର୍ଥୀ । ପୂଜା ପାଉଛନ୍ତି ବିଘ୍ନ ବିନାଶକ । କୋଭିଡ୍ କଟକଣାରେ ପୂଜା କରାଯାଉଛି ଗଜାନନଙ୍କୁ । ଘରେ ଓ ମଣ୍ଡପରେ ପୂଜା ପାଇଛନ୍ତି ବିଘ୍ନ ବିନାଶକ । ଜାକଜମକ ନୁହେଁ ନିରାଡମ୍ବର ଭାବେ ପୂଜା କରାଯାଉଛି । ମଣ୍ଡପ ନିକଟକୁ ଭକ୍ତଙ୍କୁ ବାରଣ କରାଯାଇଛି । ଚଳିତବର୍ଷ ସ୍କୁଲରେ ଗଣେଶ ପୂଜାରେ ଗହଳି ଦେଖିବାକୁ ମିଳିବ ନାହିଁ ।ଛାତ୍ରଛାତ୍ରୀଙ୍କୁ ଘରେ ରହି ଗଣେଶ ପୂଜା କରିବାକୁ ପରମର୍ଶ ଦିଆଯାଇଛି।
ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାର୍ବଜନୀନ ସ୍ଥାନରେ ପୂଜା ହେବ ନାହିଁ । କରୋନା କଟକଣା ଯୋଗୁଁ ଟ୍ବିନ୍ ସିଟିର କୌଣସି ମଣ୍ଡପରେ ଧୁମଧାମରେ ଗଣେଶ ପୂଜା ହେବ ନାହିଁ । କେବଳ ବିଧି ପାଳନ ହେବ । ଏନେଇ ପ୍ରଶାସନ ନିଷ୍ପତ୍ତି ନେଇଛି । କରୋନା ସଂକ୍ରମଣ ମାମଲା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଗଣେଶ ପୂଜା ଅବସରରେ ବିଶ୍ୱ ଶାନ୍ତି ପାଇଁ ପୁରୀ ବେଳାଭୂମୀରେ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲି ଓ ଶାମୁକା ବ୍ୟବହାର କରି ଏହି କଳାକୃତି ନିର୍ମାଣ କରିଛନ୍ତି ସୁଦର୍ଶନ। ଦେଶ ପାଇଁ ଶାନ୍ତି ବାର୍ତ୍ତା ଦେବା ସହ ପୂଜା ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି କଳାକୃତିରେ ୭ ହଜାରରୁ ଅଧିକ ଶାମୁକା ବ୍ୟବହାର ହୋଇଛି । ଏହାକୁ ନିର୍ମାଣ ପାଇଁ ପ୍ରାୟ ଚାରି ଘଣ୍ଟା ସମୟ ଲାଗିଥିଲା। ଏହି କଳାକୃତିକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମିଥିଲା ।