ଗଣିଆ ପଞ୍ଚାୟତ ସମିତିର ଶେଷ ଅଧିବେଶନ ଶେଷ

ଗଣିଆ,୮/୧ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୫ ବର୍ଷୀୟା ଯୋଜନାର ଶେଷ ଅଧିବେଶନ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ପଞ୍ଚାୟତ ସମିତିର ଅଡିଟୋରିଅମରେ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା ,ଗୋଷ୍ଠି ଉନ୍ନୟନ ଅଧିକାରୀ ଶିରୀୟଲ ଶୁଭ୍ର ପଟେଲ , କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର ,ବ୍ଲକ ପ୍ରତିନିଧି ବଳରାମ ମହାନ୍ତି , ଉପାଧକ୍ଷା ଶାନ୍ତିଲତା ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଶ୍ରୀ ବେହେରା ଉପସ୍ଥିତ ସରପଞ୍ଚ ଓ ସମିତିସଭ୍ୟ, ସଭ୍ୟା , ସାମ୍ବାଦିକ , ଅଧିକାରୀ ମାନଙ୍କୁ ଉତ୍ତରୀୟ ,ଫୁଲତୋଡା ପେନ ଓ ଡାଈରୀ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ସମସ୍ତେ ନିଜନିଜର ୫ ବର୍ଷ ଭିତରେ ଘଟିଯାଇଥିବା ଅନୁଭୂତି ଉପରେ ବର୍ଣ୍ଣନା କରିଥିଲେ । ଏହି କାଯ୍ୟକ୍ରମରେ ଚିକିତ୍ସା ଅଧିକାରୀ ମଧୁସୂଦନ ଦାଶଙ୍କ ସହ ୮ଟି ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିବାବେଳେ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ କୃଷି, ଶିକ୍ଷା,ସ୍ୱାସ୍ଥ୍ୟ, ଜଙ୍ଗଲ, ପୋଲିସ, ଉଦ୍ୟାନ, ମହିଳା ଓ ଶିଶୁ ବିକାଶ,ଜୀବିକା ମିଶନ,ପ୍ରାଣୀ,ଜଳ ପରିମଳ,ଉଠା ଜଳସେଚନ, ମୃତ୍ତିକା ସଂରକ୍ଷଣ, ଖାଦ୍ୟ ଯୋଗାଣ,ବିଦ୍ୟୁତ ଓ ସମାଜ କଲ୍ୟାଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ପରିଶେଷରେ ପଞ୍ଚାୟତସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱାଇଁ ଉପସ୍ଥିତ ଜନ ପ୍ରତିନିଧିଙ୍କ ସହ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment