ଗଣିଆ,୧୧/୮:- ଗଣିଆ ବ୍ଲକ କିଶୋରପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଖଲିସିରା ଗ୍ରାମର ୩୦ ରୁ ଅଧିକ ଲୋକ ଆଜି ଗଣିଆସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାରେ ବିଭାଗୀୟ ଅଧିକାରୀଙ୍କ ଲିଖିତ ପ୍ରତିଶୃତି ପରେ ଅପରାହ୍ନରେ ଅନଶନରୁ ଓହରିଥିଲେ ଗ୍ରାମବାସୀ । ସୂଚନା ଥାଉକି ଖଲିସାରା ଗ୍ରାମର ଚାଷୀମାନେ ଚାଷକାମ କରି ଗଣିଆ ବ୍ଲକକୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ପନିପରିବା ଠାରୁ ଫସଲ ପର୍ଯ୍ୟନ୍ତ ଯୋଗାଇଥାନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ତିନି ମାସ ପୂର୍ବରୁ ବାତ୍ୟା ସମୟରେ ଉଠା ଜଳସେଚନ ପାଇଁ ବ୍ୟବହୃତ ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫର ପୋଡି ଯାଇଥିଲା । ଏନେଇ ବିଭିନ୍ନ ସମୟରେ ଗ୍ରାମବାସୀ ବିଦ୍ୟୁତ ବିଭାଗର ଏସ ଡିଓ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି କେହି ଶୁଣିନଥିଲେ ଯାହାକୁ ନେଇ ଗ୍ରାମର ୩୦ ରୁ ଅଧିକ ଲୋକ ଗଣିଆସ୍ଥିତ ବିଦ୍ୟୁତ କାଯ୍ୟଳୟ ସମ୍ମୁଖରେ ଆଜି ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବି ପୂରଣ ନ ହେବା ପଯ୍ୟନ୍ତ କେହି ଉଠିବେ ନାହିଁ ବୋଲି ସ୍ଥାନୀୟ ଲୋକ କହିଥିଲେ । କିନ୍ତୁ ସ୍ଥାନୀୟ ସମିତି ସଭ୍ୟଙ୍କ ପ୍ରତିନିଧି ଅକ୍ରୁର ବେହେରା ଓ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ବେହେରାଙ୍କ ନେତୃତୁରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା ପରେ ସୋମବାର ଭିତରେ କାର୍ଯ୍ୟକ୍ଷମ କରିବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ଅନଶନରୁ ଓହରିଥିଲେ ଗ୍ରାମବାସୀ । ଯଦି ସୋମବାର ଭିତରେ କାର୍ଯ୍ୟ ତ୍ୱରାନ୍ୱିତ କରାନ ଯାଏ ତାହାଲେ ମଙ୍ଗଳବାର ଦିନ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।