ଗଞ୍ଜାମ,୨/୧: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ଆସିକା ମୁଖ୍ୟ ରାସ୍ତା ଚୁଡଙ୍ଗପୁର ନିକଟରେ ରବିବାର ଅପରାହ୍ନରେ ଏକ କାର ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଝିଅ ଓ ଭାଣଜୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ଶିକ୍ଷକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ଉସ୍ତା ଜଗନ୍ନାଥପୁୁର ଗ୍ରାମର ଅରୁଣ ପ୍ରଧାନ । ତାଙ୍କ ଝିଅ ଅଙ୍କିତା ପ୍ରଧାନ ଓ ଭାଣିଜୀ ନିବେଦିତା ଜେନା ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ ରବିବାର ଦିନ ନବବର୍ଷ ରହିଥିବା ବେଳେ ଅପରାହ୍ନ ସମୟରେ ମୃତ ଶିକ୍ଷକ ଜଣକ ନିଜ ବାଇକ ଯୋଗେ ତାଙ୍କ ଝିଅ ଏବଂ ଭାଣିଜୀକୁ ନେଇ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର ଓଡି ୦୨ ଏଟି ୮୫୨୪ ପ୍ରଥମେ ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇ ଭାରସାମ୍ୟ ହରାଇବା ପରେ ବାଇକକୁ ଧକ୍କା ଦେଇଥିଲା । ଯାହା ଫଳରେ ବାଇକ ଚାଳକ ଅରୁଣ ସମେତ ଝିଅ ଏବଂ ଭାଣଜୀ ରାସ୍ତା ଉପରେ କଚାଡି ପଡିଯାଇଥିଲେ । ଗ୍ରାମବାସୀମାନେ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତ ତିନି ଜଣଙ୍କୁ ଦିଗପହଣ୍ଡି ମେଡ଼ିକାଲରେ ଭର୍ତ୍ତି କରିଥିବାବେଳେ ଶିକ୍ଷକ ଅରୁଣ ପ୍ରଧାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଝିଅ ଓ ଭାଣିଜୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ କେ ସି ଜି ସ୍ଥାନାନ୍ତର କରାଯାଇଛି । ଦିଗପହଣ୍ଡି ପୋଲିସ ଏସଆଇ ଗୌତମ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ମୃତ ଶବ ଜବତ କରି ଏକ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି । ତେବେ କାର ଚାଳକ ମଧ୍ୟ ଗୁରୁତର ଆହତ ହୋଇଥିବା ବେଳେ କାରରେ ବସିଥିବା ପରିବାର ଲୋକେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।