ପ୍ରଚଣ୍ଡ ରୌଦ୍ର ତାପରେ ସରିଲା ମା ତାରାତାରିଣୀଙ୍କ ୨ୟ ପାଳି ଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨୯/୩ : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରାଇପୁର ଗ୍ରାମର ପାହାଡ଼ରେ ବିଜେ ମା ତାରାତାରିଣୀଙ୍କ ୨ୟ ପାଳି ଯାତ୍ରା ଦିନ ପ୍ରଚଣ୍ଡ ରୌଦ୍ରତାପରେ ମଧ୍ୟ ୨ରୁ ୩ଲକ୍ଷ ଭକ୍ତଙ୍କ ଭିଡ଼ ଲାଗିଥିଲା । କାଳେ ୩ୟ ପାଳି ଗତବର୍ଷ ପରି କୋଭିଡ ନିମନ୍ତେ ବନ୍ଦ ହୋଇଯିବ ସେଥିପାଇଁ ମାନସିକଧାରୀ ପରିବାର ଲୋକେ ଚୁଟି ମୁଣ୍ଡନ କରାଇବାକୁ ବାଇକ ଠାରୁ ଆରମ୍ଭ କରି ବସ, କାର, ଅଟୋ ଇତ୍ୟାଦିରେ ପହଞ୍ଚି ସେମାନଙ୍କ ପିଲାଙ୍କ ଚୁଟି ମୁଣ୍ଡନ କରିବା ସହିତ ରୋଷେଇବାସ କରି ମଧ୍ୟ ସାଙ୍ଗ, ସାଥି ବନ୍ଧୁବାନ୍ଧବ ମାନଙ୍କୁ ଧରି ଆସିଥାନ୍ତି । ତେବେ ଆଜିର ଏହି ପ୍ରଚଣ୍ଡ ରୌଦ୍ର ତାପକୁ ମଧ୍ୟ ସେମାନେ ଖାତିରନକରି ପିଲାଙ୍କ ଚୁଟି ମୁଣ୍ଡନକୁ ପ୍ରାଧାନ୍ୟ ଦେଇଥିଲେ । ଆଜି ସକାଳୁ ସେବାୟତମାନେ ସେମାନଙ୍କ ଅବକାଶ ଠାରୁ ସବୁ ନୀତି ନିୟମ ସାରି ମାଙ୍କୁ ଗଜଲକ୍ଷ୍ମୀ ବେଶରେ ସଜ୍ଜିତ କରି ବାଳଭୋଗ ପରେ ଆଳତୀକରି ଭକ୍ତମାନଙ୍କୁ ଦର୍ଶନର ସୁଯୋଗ ଦେଇଥିଲେ । ତେବେ ଶାନ୍ତି ଶୃଙ୍ଖଳା ନିମନ୍ତେ ୧୩ପ୍ଲାଟୁନ ପୋଲିସ,୨ଜଣ ଅତିରିକ୍ତ ଏସପି, ୩ଜଣ ଡ଼ିଏସପି, ୨୦ଜଣ ଆଇଆଇସି, ୨୫ ଜଣ ଏସଆଇଙ୍କ ସହିତ ଅନ୍ୟାନ୍ୟ ଫୋର୍ସ ଉପସ୍ଥିତ ରହି ଯାତ୍ରାକୁ ପରିଚାଳନା କରିଥିଲେ । ଏହାସହ ପୁରୁଷୋତ୍ତମପୁର ଏସ୍‌ଡ଼ିପିଓ ସୂର୍ଯ୍ୟମଣୀ ପ୍ରଧାନ, ଥାନାଧିକାରି ପିୟୁଷ ରଞ୍ଜନ ଛୋଟରାୟ, ଏସ ଆଇ ସୁନୀଲ ପ୍ରଧାନଙ୍କ ସହିତ ସମସ୍ତ ଷ୍ଟାଫ ଉପସ୍ଥିତ ରହିବା ସହ ବିଡ଼ିଓ ବିଜୟ କୁମାର ବେହେରା, ତହସିଲଦାର ନୀତିଶ କୁମାର ତ୍ରିପାଠୀ, ଏବଂ ତହସିଲ ଆରଆଇ ଷ୍ଟାଫ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ଉପସ୍ଥିତ ରହି ମା’ଙ୍କ ଏହି ପୂଜାରେ ସହଯୋଗ କରିଥିଲେ ।

ଏଥିସହିତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତିରୁମାଲା କୁମାର ରେଡି, ସେବାୟତ ସଭାପତି ତପନ କୁମାର ରଣା, ବାପୁଜୀ ରଣାଙ୍କ ସମେତ ସମସ୍ତ ସେବାୟତଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳା ଭାବେ ଯାତ୍ରା ପରିଚାଳନା କରିଥିଲେ । ଏହା ସହ ପଞ୍ଚାୟତର ପିଇଓ ଡ଼ି ଲଖମନ ପାତ୍ର, ଜିଆରଏସ ସୁନୀତା ବେହେରା, ସରପଞ୍ଚ ନମିତା ବେହେରା, ସମିତିସଭ୍ୟା ଉଷାରାଣୀ ବେହେରା, ବିଚିତ୍ର ବେହେରା, ଲଡ଼ୁ ବେହେରା କୈଳାସ ମଣ୍ଡଳ, ମନୋଜ ପଣ୍ଡା, ଗୋପାଳକୃଷ୍ଣ ଦାଶ, ଭବାନୀ ଶଙ୍କର ପଣ୍ଡା,ତୁଷାର ବିଶୋଇ, ସୁଶାନ୍ତ ବେହେରା, ସନ୍ତୋଷ ବେହେରା ଙ୍କ ସହିତ ବହୁ ଗ୍ରାମବାସୀ ଏବଂ ଯୁବକମାନେ ସହଯୋଗ କରିଥିଲେ । ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେରଖି ପଞ୍ଚାୟତ ତରଫରୁ ଯାତ୍ରୀଙ୍କୁ ନବାତ ପଣା ଓ ଥଣ୍ଡା ପାନୀୟ ବଣ୍ଟା ଯାଇଥିଲା ।

Comments (0)
Add Comment