ଲାଞ୍ଜିଆରେ ଦୁଇଦିନିଆ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ,୨୮/୧୦- କୁକୁଡ଼ାଖଣ୍ଡି ତହସିଲ ଅନ୍ତର୍ଗତ ଲାଞ୍ଜିଆ ଗ୍ରାମ ପଞ୍ଚାୟତରେ ପଥର ଉତ୍ତୋଳନ ନିମନ୍ତେ ଦୁଇଦିନିଆ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଲାଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ ୫୦୭ ଭଗବାନପୁର ମୌଜାର ଭଗବାନପୁର ପଥରଖଣିରୁ ବାର୍ଷିକ ୩୧.୮୦୮ ହେକ୍ଟର ପରିମିତ ପଥର ଖଣିରୁ ବାର୍ଷିକ ୩୦,୦୦୦ ଘନ ମିଟର ଡେକୋରେଟିଭ ପଥର ଉତ୍ପାଦନ ୧୭.୫୪୭ ହେକ୍ଟର ପରିମିତ ଅଞ୍ଚଳ ସ୍ଥିତ ଭଗବାନପୁର ମୌଜାର ଡେକୋରେଟିଭ ପଥର ଖଣିରୁ ବାର୍ଷିକ ୬,୦୦୦ ଘନମିଟର ପଥର ଉତ୍ତୋଳନ କରିବାପାଇଁ ପରିବେଶ ମଞ୍ଜୁରୀ ନିମନ୍ତେ ଦୁଇଦିନିଆ ଜନଶୁଣାଣି ମଙ୍ଗଳବାର ଓ ବୁଧବାରଦିନ ଭଗବାନପୁର ଗ୍ରାମର ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼( ବ୍ରହ୍ମପୁର) ପକ୍ଷରୁ ଅନୁଷ୍ଠିତ ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଅମୀୟ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଏହି ଦୁଇଦିନିଆ ଜନଶୁଣାଣୀ କାର୍ଯ୍ୟକ୍ରମରେ ଲିଜ୍‌ଧାରୀ ମେସର୍ସ ଅମରଜ୍ୟୋତି ଗ୍ରାନାଇଟ୍‌ ଓ ଶୋଭନ କୁମାର ମହାପାତ୍ର ଗ୍ରାନାଇଟକୁ ସ୍ଥାନୀୟ ଗ୍ରାମବାସୀମାନଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିବାବେଳେ ୨୧ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏହି ଜନଶୁଣାଣିରେ ଭାଗନେଇ ନିଜନିଜର ମତ ରଖିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ( ବ୍ରହ୍ମପୁର )ର ଆଞ୍ଚଳିକ ନିର୍ଦ୍ଦେଶକ ଦୀପକ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି ନେତା ସନ୍ତୋଷ କୁମାର ଚୌଧୁରୀ, ସ୍ଥାନୀୟ ସରପଞ୍ଚ ଉଷା ଦାସ, ସମିତିସଭ୍ୟ ଗୀତା ଦାସ, ୱାର୍ଡ଼ସଭ୍ୟଙ୍କ ସମେତ ଗୋବିନ୍ଦ ଗୌଡ଼, ଅନୀଲ ଗୌଡ଼ ଏବଂ ଲାଞ୍ଜିଆ, ଅନନ୍ତେଇ, ଭଗବାନପୁର ଗ୍ରାମର ଶତାଧିକ ଗ୍ରାମବାସୀ ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ପକ୍ଷରୁ ଏହି ଦୁଇଟି ମାଇନ୍ସ କମ୍ପାନୀକୁ ସ୍ୱାଗତ କରିଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଗ୍ରାମବାସୀ ନିଜ ନିଜର କେତେକ ଦାବି ଉପସ୍ଥାପନ କରିଥିଲେ । ଏହି ମାଇନ୍ସ କମ୍ପାନୀ ହେବାଦ୍ୱାରା ଅଞ୍ଚଳର ଆର୍ଥିକ ସାମାଜିକ ଦିଗରେ ଉନ୍ନତି ଘଟିବ । ତେଣୁ ସେମାନେ ପଥର ଖନନପାଇଁ ସହମତି ପ୍ରକାଶ କରିବା ସହ ସ୍ୱାଗତ ଜଣାଇଥିଲେ । ସେମାନଙ୍କ ଦାବିଥିଲା ଯେ, ପ୍ରଥମେ ଗ୍ରାମ୍ୟ ରାସ୍ତାକୁ ପ୍ରଶସ୍ତିକରଣ କରିବାସହ ମରାମତି କରାଯାଉ, ସ୍ଥାନୀୟ ଲୋକଙ୍କ ନିମନ୍ତେ କମ୍ପାନୀରେ ନିଯୁକ୍ତି ସୃଷ୍ଟି କରାଯାଉ, ପଥର ଖନନ ବେଳେ ସୃଷ୍ଟି ହେଉଥିବା ଧୂଳିକଣାରୁ ମୁକ୍ତି ନିମନ୍ତେ ପ୍ରତ୍ୟେକ ଦିନ ପାଣିସିଞ୍ଚନ କରାଯିବା ଦରକାର , ପରିବେଶ ସୁରକ୍ଷା ସହ ବୃକ୍ଷ ରୋପଣ କରିବା ,ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର କରି ଲୋକଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ କରିବା ,ସ୍ଥାନୀୟ ସ୍କୁଲ ମାନଙ୍କରେ ଟେବୁଲ ଚେୟାର ପ୍ରଦାନ କରାଯାଉ , ଏବଂ ଭଲ ପାଠ ପଡୁଥିବା ଛାତ୍ର ଛାତ୍ରୀଙ୍କୁ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ନିମନ୍ତେ ସୁବିଧା କରାଯାଉ ,ଏବଂ ଆନୁସାଙ୍ଗିକ ଜିନିଷପତ୍ର ଯୋଗାଇଦେବା ସହ ସ୍କୁଲରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପ୍ରଭୃତି ଦାବି ଉପସ୍ଥାପନ କରିଥିଲେ । ପାନୀୟ ଜଳ ଓ ପରିମଳ ଦିଗରେ ମଧ୍ୟ କମ୍ପାନୀ ଦୃଷ୍ଟିଦେବାକୁ ଜନଶୁଣାଣୀରେ ମତ ପ୍ରକାଶ କରିଥିଲେ । ତେବେ ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ସଦର ଥାନା ପୋଲିସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିଥିଲା ।

Comments (0)
Add Comment