ଗାୟତ୍ରୀ ମନ୍ଦିର ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା଼ଯାତ୍ରା

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ ଚିପିଲିମା ଛୋଟ ସହର ଗାୟତ୍ରୀ ମନ୍ଦିର ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା଼ଯାତ୍ରା ସହାଶ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଦୁର୍ଗାମଣ୍ଡପ କଲୋନୀ ସ୍ଥିତ ମାଉସୀମା ମନ୍ଦିରରେ ରଥଯାତ୍ରା ଦିନରୁ ପ୍ରତ୍ୟହ ନୀତିକାନ୍ତି ସହ ପୂଜାଅର୍ଚ୍ଚନା ହୋଇଆସୁଥିଲାବେଳେ ପ୍ରତ୍ୟହ ଅନ୍ନଭୋଗ ବଣ୍ଟନ ହେଉଥିଲା l ଆଜି ବାହୁଡା଼ ଅବସରରେ ସମସ୍ତ ନୀତିକାନ୍ତି ସହ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ଘଣ୍ଟଘଣ୍ଟା ମୃଦଙ୍ଗ ତାଳେତାଳେ ଛେଣାପଣା ସହ ଠାକୁରଙ୍କ ପହଣ୍ଡି ବିଜେ ହୋଇଥିବାବେଳେ ମହାପ୍ରଭୁ ରଥାରୁଢ଼ ହୋଇଥିଲେ l ପରେ ନବଜାତ ଶିଶୁଙ୍କ ରଥଛୁଆଁ ପର୍ବ ଓ ରଥଟଣା ହୋଇଥିଲା l ମହାପ୍ରଭୁ ଧନୁଯାତ୍ରା ପଡିଆ ସ୍ଥିତ ବଡଦାଣ୍ଡରେ ସହାଶ୍ରାଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ l ସମସ୍ତ ପୂଜାକାର୍ଯ୍ୟକୁ ପଣ୍ଡିତ ବୈରାଗୀ ଚରଣ ଆଚାର୍ଯ୍ୟ, ସହଯୋଗୀ ପଣ୍ଡିତ ସାହିଲ ଦାସ, ଆୟୁଷ୍ମାନ ଦାସ ପରିଚାଳନା କରିଥିଲେ l ସନ୍ଧ୍ୟାରେ ତିନିଠାକୁର ମନ୍ଦିରକୁ ବାହୁଡ଼ିଲା ପରେ ଭଜନ କୀର୍ତ୍ତନ ପରିବେଷଣ ହୋଇଥିଲା l ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା I

Comments (0)
Add Comment