ଅନ୍ତୋଦୟ ଚାଉଳ ହଡପ ଅଭିଯୋଗ

ବୌଦ୍ଧ – ବୌଦ୍ଧ ବ୍ଲକ୍ ବହିରା ଗ୍ରାମ ପଂଚାୟତରେ ହିତାଧିକାରୀ ମାନଙ୍କ ଖାଉଟି ସାମଗ୍ରୀ ହଡପ ହେଉଥିବା ଅଭିଯୋଗ ହୋଇଛି । ବଡ଼ ଝାରକଟା ଗ୍ରାମର ଜଣେ ଅନ୍ତୋଦୟ ହିତାଧିକାରୀ ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ବଡ଼ ଝାରକଟା ଗ୍ରାମର ବସନ୍ତ ପ୍ରଧାନ ୨୦୧୫ ମସିହାରେ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାର ଖାଉଟି କାର୍ଡ ପାଇଥିଲେ । ସେ ଦୁଇ ଜଣ ସଦସ୍ୟଙ୍କ ପାଇଁ ମାସିକ ଛଅ କେଜି ଚାଉଳ ଓ ଚାରି କେଜି ଗହମ ପାଇ ଆସୁଥିଲେ । ୨୦୧୮ ଅପ୍ରେଲ୍ ମାସରେ ତାଙ୍କ ନାମରେ ଗୋଟିଏ ଅନ୍ତୋଦୟ କାର୍ଡ ହୋଇଥିବା ଯୋଗାଣ ସହାୟକ ସୂଚନା ଦେଇଥିଲେ ଓ ତାଙ୍କୁ ମାସିକ ୩୫ କେଜି ଚାଉଳ ଅଗଷ୍ଟ ୨୦୧୯ ପର୍ଯ୍ୟନ୍ତ ମିଳି ଆସୁଥିଲା । ପଞ୍ଚାୟତରେ ଚାଉଳ ବଣ୍ଟନର ସମ୍ପୁର୍ଣ୍ଣ ଦାୟିତ୍ୱ ବୁଝୁଥିବା ସରପଞ୍ଚଙ୍କ ସ୍ୱାମୀ ୨୦୧୯ ସେପ୍ଟେମ୍ବର ମାସରୁ ୩୫ କେଜି ଚାଉଳ କଟି ଯାଇଛି ଓ ପୁର୍ବରୁ ପାଉଥିବା ଛଅ କେଜି ଚାଉଳ ଓ ଚାରି କେଜି ଗହମ ପାଇବ ବୋଲି କହିଥିଲେ । ସେହିଦିନ ଠାରୁ ସେହି ଅନୁପାତରେ ତାଙ୍କୁ ଖାଉଟି ସାମଗ୍ରୀ ଦିଆଯାଇ ଆସୁଥିବା ସେ କହିଛନ୍ତି । ଜନ ସେବା କେନ୍ଦ୍ରରେ ନିଜ କାର୍ଡ ସମ୍ପର୍କରେ ସେ ଅନ୍ ଲାଇନରେ ଦେଖିଥିଲେ ଓ ତାଙ୍କର ଅନ୍ତୋଦୟ କାର୍ଡ କଟି ନଥିବା ଜାଣିପାରି ତାଙ୍କୁ କାହିଁକି ୩୫ କେଜି ଚାଉଳ ଦିଆ ଯାଉ ନାହିଁ ବୋଲି ସରପଞ୍ଚଙ୍କ ସ୍ୱାମୀ ଓ ଚାଉଳ ବଣ୍ଟନରେ ସହଯୋଗୀ ଥିବା ଜଣେ ୱାର୍ଡ ସଭ୍ୟଙ୍କୁ କହିଥିଲେ । ସେମାନେ ତାଙ୍କ କଥାକୁ ଶୁଣି ନଥିବାରୁ ସେ ଉପରିସ୍ଥ ଅଧିକାରୀ ମାନଙ୍କୁ ବାଧ୍ୟ ହୋଇ ଜଣାଇଥିବା ପ୍ରକାଶ କରିଛନ୍ତି ।

ପୁର୍ବରୁ ମଧ୍ୟ ବହିରା ଗ୍ରାମ ପଂଚାୟତରେ ଅଧିକ ଦରରେ ଖାଉଟି ମାନଙ୍କୁ କିରୋସିନ ବିକିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେହିପରି ବହିରା ଏମ. ଇ. ସ୍କୁଲରେ ଖୋଲା ଯାଇଥିବା ଟି. ଏମ. ସି. କେନ୍ଦ୍ରରେ ଅବ୍ୟବସ୍ଥା ଯୋଗୁଁ ପ୍ରବାସୀ ଶ୍ରମିକ ଆନ୍ଦୋଳନ କରି ଖାଦ୍ୟ ବର୍ଜନ କରିଥିଲେ । ବର୍ତ୍ତମାନ କୋଭିଡ୍ ସମୟରେ ଜଣେ ଅନ୍ତୋଦୟ ହିତାଧିକାରୀଙ୍କ ଚାଉଳ ହଡପ ଘଟଣା ସ୍ଥାନୀୟ ଅଂଚଳରେ ଆଲୋଚନାର ଖୋରାକ୍ ଜୋଗାଇଛି । ଖାଲି ଗୋଟିଏ ନୁହେଁ ଅନେକ ହିତାଧିକାରୀ ମାନଙ୍କ ଠାରୁ ଏଭଳି ଅଭିନବ ଉପାୟରେ ବହିରା ଗ୍ରାମ ପଂଚାୟତରେ ଖାଉଟି ସାମଗ୍ରୀ ହଡପ ହେଉଥିବା ଅଭିଯୋଗ ହୁଏ । ଜିଲ୍ଲାପାଳ ତୁରନ୍ତ ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହେଉଛି ।

Comments (0)
Add Comment