ଚତୁର୍ଥ ପର୍ଯ୍ୟାୟରେ ଘୁ.ଉଦୟଗିରି ବ୍ଲକରେ ୬୬.୮୮% ମତଦାନ, ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ

ଘୁ ଉଦୟଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଆଜି ସ୍ଥାନୀୟ ବ୍ଲକରେ ମୋଟ ୧୧୨ଗୋଟି ବୁଥରେ ଅନୁଷ୍ଠିତ ହୋଇଯାଇଛି । କୁହୁଡି ଏବଂ ଶୀତ ସତ୍ତେ୍ୱ ସକାଳୁ ସକାଳୁ ମତଦାତାମାନେ ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ନିଜ ନିଜ ମତଦାନ କରିଥିବା ଦେଖିବାକୁ ମିଳିଛି । ବିଶେଷ କରି ବହୁ ସଂଖ୍ୟାରେ ମହିଳା ମତଦାତାଙ୍କ ଭିଡ଼ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା । ବହୁ ବୟସ୍କ ବୃଦ୍ଧବୃଦ୍ଧା ଏବଂ ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ଆସି ମତଦାନ କରୁଥିବା ଦେଖୁବାକୁ ମିଲିଥୁଲା । ଆଜି ଅନୁଷ୍ଠିତ ମତଦାନ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ମୋଟ ୬୬.୮୮ପ୍ରତିଶତ ମତଦାନ ହୋଇଥିବା ବେଳେ ପୁରୁଷଙ୍କ ତୁଳନାରେ ମହିଳା ମାନେ ଅଧିକ ସଂଖ୍ୟାରେ ମତଦାନ କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁସାରେ ସ୍ଥାନୀୟ ବ୍ଲକର ମୋଟ ଭୋଟରଙ୍କ ସଂଖ୍ୟା ୨୮୯୧୦ ହୋଇଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୩୭୮୮ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧୫୧୨୨ହୋଇଥିବା ବେଳେ ଆଜି ମୋଟ ୧୯୩୩୭ଜଣ ମତଦାତା ନିଜ ମତ ସାବ୍ୟସ୍ତ କରିଛନ୍ତି । ସେଥି ମଧ୍ୟରୁ ପୁରୁଷ ମତଦାତା ହେଉଛନ୍ତି ୯୨୭୫ ଏବଂ ମହିଳା ମତଦାତା ସଂଖ୍ୟା ୧୦୦୬୨ ହୋଇଥିବା ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଆଶିଷ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ଆଜିର ଏହି ମତଦାନ କାର୍ଯ୍ୟକ୍ରମ ସମୟରେ କନ୍ଧମାଳ ଜିଲ୍ଲାପାଳ ଡି ବୃନ୍ଦା ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରିବା ସହ ଆମକୁ ନିଜ ପ୍ରତିକ୍ରିୟାରେ ଜଣେଇଛନ୍ତି ଯେ, ଚତୁର୍ଥ ପର୍ଯ୍ୟାୟ ମତଦାନ ଆଜି ଘୁ.ଉଦୟଗିରି, ଟିକାବାଲି ଏବଂ ଚକପାଦ ବ୍ଲକରେ ଅନୁଷ୍ଠିତ ହେଉଛି ମୋଟାମୋଟି ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ଚାଲିଥିବା ବେଳେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯିବା ସହ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଛି । ଘୁ.ଉଦୟଗିରି ବ୍ଲକରେ ଉପଜିଲ୍ଲାପାଳ ବାଲିଗୁଡା,ସ୍ଥାନୀୟ ଏସଡିପିଓ ଡି ତିରୁପତି ରାଓ ପଟନାୟକ, ଆଇଆଇସି ରେବତୀ ଶବରଙ୍କ ସମେତ ପୋଲିସ ଫୋର୍ସ ନିୟୋଜିତ ରହି ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ଶେଷ କରିଛନ୍ତି ।

Comments (0)
Add Comment