ପାରଳାଖେମୁଣ୍ଡି : କୋଭିଡର ଦ୍ୱିତୀୟ ପର୍ଯ୍ୟାୟରେ ଜଣେ ବିହାରୀ ମହିଳା ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ତାଙ୍କର ଦୁଇ ଗୋଟି ଝିଅ (ବୟସ ୫ ବର୍ଷ ଏବଂ ୭ ବର୍ଷ) ସହିତ ମୋହନା ପୋଲିସ ଦ୍ୱାରା ଧରା ପଡି ପାରଳାଖେମୁଣ୍ଡି ସବଜେଲରେ ବିଚାରଧିନ ବନ୍ଦୀନି ହିସାବରେ ରହି ଆସୁଛନ୍ତି । ତାଙ୍କ ସହିତ ତାଙ୍କର ଉପରୋକ୍ତ ଦୁଇଟି ଝିଅ ମଧ୍ୟ ଜେଲରେ ରହି ଆସୁଥିଲେ । ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ଜେଲ ପରିଦର୍ଶନ ସମୟରେ ଉପରୋକ୍ତ ଦୁଇ ଛୁଆ ଜେଲରେ ରହିବା କଥା ନଜରକୁ ଆସିବା ସହ ସେମାନଙ୍କର ଅଧିକାର ଏବଂ ଯତ୍ନ ଉପରେ ବାଧାପ୍ରାପ୍ତ ହେବା କଥା ମଧ୍ୟ ନଜରକୁ ଆସିଥିଲା । ଏହାପରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ ଏବଂ ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ସହଯୋଗ ଓ ଶିଶୁ ମାନଙ୍କର ମାଆର ପ୍ରାର୍ଥନା କ୍ରମେ ଶିଶୁ ମାନଙ୍କୁ ବିହାର ପ୍ରଦେଶର ପାଟନା ଜିଲ୍ଲାରେ ରହୁଥିବା ସେମାନଙ୍କର ଆଈଙ୍କ ପାଖକୁ ପଠାଇବା ପାଇଁ ନିଷ୍ପତ୍ତି ହୋଇଥିଲା ।
ପରବର୍ତ୍ତୀ ସମୟରେ ଶିଶୁ ମାନଙ୍କର ଆଈଙ୍କର ଚରିତ୍ର ଏବଂ ଘରୋଇ ବିବରଣୀ ପ୍ରଦାନ କରିବା ପାଇଁ ପାଟନା ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇ ଥିଲା । ସେମାନଙ୍କ ଠାରୁ ସବୁଜ ସଙ୍କେତ ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତି ଜିଲ୍ଲା ପୋଲିସ ସହାୟତାରେ ସ୍ଥାନାନ୍ତରିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ଏହି ଭିତରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଗଜପତିଙ୍କ ନିକଟରେ ପିଲା ମାନଙ୍କୁ ଉପସ୍ଥାପନ କରାଯାଇ ଆବଶ୍ୟକ ନିର୍ଦ୍ଦେଶ ଗ୍ରହଣ କରାଯାଇଥିଲା । ଏହାପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତିର ସାମାଜିକ କର୍ମୀ ନରେଶ କୁମାର ନାୟକଙ୍କ ନେତୃତ୍ୱରେ ଦୁଇ ଜଣିୟ ମହିଳା କନେଷ୍ଟବଳଙ୍କ ସହାୟତାରେ ଶିଶୁ ମାନଙ୍କୁ ଆଜି ପାଟନାର ଶିଶୁ ମଙ୍ଗଳ ସମିତି ଆଗରେ ଉପସ୍ଥାପନ କରାଯାଇଛି । ଏଥିରେ ସବଜେଲ ପାରଳାଖେମୁଣ୍ଡିର ସୁପରିଟେଣ୍ଡଣ୍ଟ ହନୁମନ୍ତ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।