ହରଭଙ୍ଗା,(ହୀ.ପ୍ର): ସଂପ୍ରତି ୧୯୮୨ ମହାନଦୀ ବନ୍ୟାର ବିଭିଷୀକା ଆଜି ବି ଲୋକଙ୍କ ମନରୁ ଲିଭି ନଥିବା ବେଳେ ସେତେବେଳେ ଲୋକଙ୍କ ହୋଇଥିବା କ୍ଷୟକ୍ଷତି ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଏହା ସତ୍ତ୍ୱେ ହରଭଙ୍ଗା ନଦୀକୂଳିଆ ଲୋକମାନେ ନିଜର ଜନ୍ମମାଟିର ମୋହ ନ ଛାଡି ନପାରି ସେଠାରେ ରହିଛନ୍ତି । ଗତ ଅଗଷ୍ଟ ମାସର ବନ୍ୟା ଓ ଲଘୁଚାପଜନିତ କ୍ଷୟକ୍ଷତି ଚାଷୀଙ୍କର କହିଲେ ନସରେ । ମହାନଦୀ ବନ୍ୟା ଯୋଗୁଁ ହରଭଙ୍ଗା ଗ୍ରାମବାସୀ ଭୟରେ ଦିନ ବିତାଉଛନ୍ତି । ପ୍ରତିବର୍ଷ ବନ୍ୟା ଆସିଲେ କୂଳ ମାଟି ଅତଡା ଖସି ନଦୀ ଗାଁ ନିକଟତର ହେବାରେ ଲାଗିଛି । ଏପରିକି ବନ୍ୟା ସମୟରେ ବନ୍ୟା ପାଣି ବି ଗାଁକୁ ମାଡୁଛି । ପ୍ରତିବର୍ଷ ହରଭଙ୍ଗା ମହାନଦୀ କୂଳରେ ଘାଇ ସୃଷ୍ଟି ହୋଇ ଗ୍ରାମର ଅନେକ ସଂପତ୍ତି ନଷ୍ଟ ହେଉଛି । ଗାଁଟି ନଦୀଗର୍ଭରେ ବିଳୟ ହୋଇଯିବାର ଆଶଙ୍କା ଉପୁଜିଛି । ଚଳିତ ବନ୍ୟାରେ ହରଭଙ୍ଗା ଅଂଚଳରେ ୨ଶହ ମିଟର ଲମ୍ବର ଅତଡା ଖସିଛି । ମହାନଦୀ ଗାଁ ଆଡକୁ ମାଡି ଆସିଲାଣି । ବନ୍ୟା ନିୟନ୍ତ୍ରଣ ପାଇଁ ବୌଦ୍ଧ ଜଳ ସଂପଦ ବିଭାଗର ନିଘାନାହିଁ । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟସ୍ତ ଉପରେ କାହାରି ନିୟନ୍ତ୍ରଣ ରହିନଥାଏ । ତେବେ ପ୍ରାକୃତିକ ବିପର୍ଯ୍ୟରେ ହାନି ହେଉଥିବା ବିଭିନ୍ନ ସଂପଦର ସୁରକ୍ଷା ପାଇଁ ପ୍ରଶାସନ ସ୍ତରରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ତଦନୁଯାୟୀ ଧନଜୀବନ କ୍ଷୟକ୍ଷତିର ପରିମାଣକୁ ହ୍ରାସ କରାଯାଇପାରିବା ସହିତ ବିପର୍ଯ୍ୟୟର ମୁକାବିଲା କରାଯାଇଥାଏ । ମାତ୍ର ଦୁର୍ଭାଗ୍ୟର ବିଷୟ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ହ୍ରାସ କରିବା ଏବଂ ଏହାକୁ ପ୍ରତିହତ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରତ୍ୟେକ ବର୍ଷ ପ୍ରସ୍ତୁତି ବୈଠକ କରାଯାଉଥିଲେ ସୁଦ୍ଧା ପ୍ରାଥମିକ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟ ଜନିତ କ୍ଷୟକ୍ଷତି ଘଟିଚାଲିଛି । ଏବେ ମହାନଦୀ ବନ୍ୟାରେ କୂଳଖାଇ ମାଟି ଅତଡା ଧସି ହରଭଙ୍ଗା, କୁଡାଶିଙ୍ଗା, ସୁରୁଣ୍ଡି, ଅତଲସରା, କୁମାରୀ, ପାଣିଘେରା ଆଦି ୩୧ଟି ଗାଁ ପ୍ରତି ବିପଦ ଦେଖାଦେଇଛି । ବହୁ ଚାଷଜମି ଏବେ ମହାନଦୀ ଗର୍ଭରେ ମିଶିଗଲାଣି । ହରଭଙ୍ଗାଠାରୁ ଧଳପୁର ପର୍ଯ୍ୟନ୍ତ ମହାନଦୀରେ ପଥରେ ପ୍ୟାଚିଂ କରାନଯାଏ ତେବେ ସଂପୃକ୍ତ ଗାଁଗୁଡିକ ମହାନଦୀ ଗର୍ଭରେ ଲୀନ ହେବ । ଏ ବାବଦରେ ବୌଦ୍ଧ ଜିଲ୍ଲା ପ୍ରଶାସନ ତଥା ବୌଦ୍ଧ ଜଳସଂପଦ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।