ଏବେବି ସ୍ମୃତିରୁ ଲିଭିନି ୧୯୮୨ର ବନ୍ୟା ବିଭୀଷିକା : ପ୍ରବଳ ବର୍ଷା ଓ ବନ୍ୟାରେ ଭାସିଲା ହରଭଙ୍ଗା ବ୍ଲକ

ହରଭଙ୍ଗା : ୧୯୯୯ ମହାବାତ୍ୟା ପୂର୍ବରୁ ୧୯୮୨ ଅଗଷ୍ଟ ମାସରେ ଓଡିଶାରେ ହୋଇଥିଲା ପ୍ରଳୟଙ୍କରୀ ବନ୍ୟା । ପ୍ରଳୟ ପ୍ରୟୋଧୀ ଜଳରେ ଭାସିଥିଲା ସାରା ଓଡିଶା । ଘଟାଇଥିଲା ଅଦ୍ଭୁତପୂର୍ବ କ୍ଷୟକ୍ଷତି । ବନ୍ୟା ସୁଅରେ ଭାସି ଯାଇଥିଲା ଲକ୍ଷଲକ୍ଷ ଘର, ଉଜୁଡି ଯାଇଥିଲା ଲକ୍ଷଲକ୍ଷ ହେକ୍ଟର ଜମିର ଫସଲ । ବୌଦ୍ଧରୁ ଆରମ୍ଭ କରି ବଲାଙ୍ଗୀର, ପୁରୀରୁ କେନ୍ଦ୍ରାପଡା ପର୍ଯ୍ୟନ୍ତ ସବୁଠି ଖାଲି ପାଣି ହିଁ ପାଣି ଦେଖାଯାଉଥିଲା । ବନ୍ୟାରେ ସର୍ବାଧିକ ସଂଖ୍ୟକ ଘାଇ ହେବା ସହ ଅଧିକାଂଶ ଜିଲ୍ଲାରେ ସଡକ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଥିଲା । ଓଡିଶାର ବନ୍ୟା ଇତିହାସରେ ଏହା ଥିଲା ସବୁଠାରୁ ଭୟାବହ । ୧୯୮୨ ବନ୍ୟାରେ ବୌଦ୍ଧ ଜିଲ୍ଲାରେ ଘଟିଥିଲା ବ୍ୟାପକ କ୍ଷୟକ୍ଷତି । ବସ୍ତୁତଃ ସମଗ୍ର ଜିଲ୍ଲା ହୋଇଯାଇଥିଲା ଜଳାର୍ଣ୍ଣବ । ଏଥିରେ ବହୁ ଜୀବନହାନି ଘଟିବା ସହ ହେକ୍ଟର ହେକ୍ଟର ଜମି ବାଲିଚର । ଏବେବି ଅନେକ ଲୋକ ବାଲିରେ ପୋତି ହୋଇଯାଇଥିବା ନିଜର ଜମି ଚିହ୍ନଟ କରିପାରୁନାହାନ୍ତି । ଏବେବି ସେହି ପ୍ରଳୟଙ୍କରୀ ବନ୍ୟା ବିଭୀଷିକାର ଭୟାବହ ସ୍ମୃତି ବିପନ୍ନଙ୍କ ମନରୁ ଲିଫି ପାରିନାହିଁ । ମହାନଦୀ ଫୁଲିଲେ ଏବେବି ତଟବର୍ତ୍ତୀ ଅଂଚଳର ଅଧିବାସୀମାନେ ଭୟରେ ଶିହରି ଉଠୁଛନ୍ତି । ୧୯୮୨ ମସିହା ଅଗଷ୍ଟ ୨୯ ତାରିଖର ବନ୍ୟା ବିଭୀଷିକାକୁ ଭୁଲି ପାରୁନାହାନ୍ତି ବୌଦ୍ଧ ଜିଲ୍ଲା ବିଶେଷତଃ ହରଭଙ୍ଗା ଅଧିବାସୀ । ଆଜି ପୁଣିଥରେ ସେହି ଅଗଷ୍ଟ ୨୯ ତାରିଖରେ ହରଭଙ୍ଗାବାସୀ ଆଉ ଏକ ବନ୍ୟାକୁ ସାମ୍ନା କରୁଛନ୍ତି ।


ସାଂପ୍ରତିକ ଲଘୁଚାପଜନିତ ବର୍ଷାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ସୃଷ୍ଟି ହୋଇଛି ଅନୁରୂପ ପରିସ୍ଥିତି । ମହାନଦୀରେ ବନ୍ୟା ସାଙ୍ଗକୁ ପ୍ରବଳ ବର୍ଷା ଏ ଅଂଚଳର ପରିସ୍ଥିତିକୁ ବେହାଲ କରିଦେଇଛି । ସାଂପ୍ରତିକ ବର୍ଷା ବିତ୍ପାତ ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି ହରଭଙ୍ଗା ବ୍ଲକ । ବ୍ଲକର ମୋଟ ୩୩ ଗ୍ରାମ ବର୍ଷାରେ ପ୍ରଭାବିତ ହୋଇଛି । ବର୍ଷାରେ ଭାଙ୍ଗିଯାଇଛି ଅନେକ ଲୋକଙ୍କ କଚ୍ଚାଘର । ସେହିପରି ଅନେକ ଗ୍ରାମକୁ ବନ୍ୟା ଜଳ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ମହାନଦୀର ବଢିପାଣି ହରଭଙ୍ଗା ଥାନା ପର୍ଯ୍ୟନ୍ତ ମାଡି ଆସିଛି । ସେହିପରି ଶଗଡିଆ ନାଳର ପୋଲ ଉପରେ ୫ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ହରଭଙ୍ଗା ସମେତ ପାଶ୍ୱର୍ବର୍ତ୍ତୀ ଗ୍ରାମଗୁଡିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି । ବନ୍ୟାରେ ନଦୀକୂଳର ପଥର ପ୍ୟାକିଂ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି ଅନେକ ଗ୍ରାମ୍ୟ ରାସ୍ତା । ବୌଦ୍ଧ-ହରଭଙ୍ଗା ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ହୀରାକୁଦ ଜଳଭଣ୍ଡାରରୁ ୪୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିବାରୁ ନଈକୂଳିଆ ଅଂଚଳର ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ନଦୀକୂଳରେ ପୁନର୍ବାର ପଥର ପ୍ୟାକିଂ, ଶଗଡିଆ ନାଳ ଉପରେ ଥିବା ପୋଲକୁ ହାଇଲେଭଲ ବ୍ରିଜ୍ କରାଯିବା, କ୍ଷତିଗ୍ରସ୍ତ ରାସ୍ତାଘାଟର ମରାମତି, ଘର ଭାଙ୍ଗିଯାଇଥିବା ବିପନ୍ନ ଲୋକମାନଙ୍କୁ ସହାୟତା ପ୍ରଦାନ ତଥା ମହାନଦୀ କୂଳରେ ବନ୍ଧ ନିର୍ମାଣ ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

Comments (0)
Add Comment