ହରଭଙ୍ଗା ବ୍ଲକ ବନ୍ୟା ପରବର୍ତ୍ତୀ ସ୍ଥିତି: ବିଭିନ୍ନ ବିଭାଗର ୧୪କୋଟିରୁ ଉର୍ଦ୍ଧ୍ୱ କ୍ଷୟକ୍ଷତି

ହରଭଙ୍ଗା : ଏବେ ବନ୍ୟା ଛାଡି ଯାଇଛି । ହେଲେ ବନ୍ୟାର ପରବର୍ତ୍ତୀ ପରିସ୍ଥିତିକୁ ନେଇ ଏବେ ଲୋକେ ହନ୍ତସନ୍ତ ହେଉଛନ୍ତି । କାହାର ଘର ଭାଙ୍ଗିଛି ତ ଚାଷୀଙ୍କର ଜମିବାଡି ଉଜୁଡି ଯାଇଛି । ଲଗଣା ବର୍ଷା ଓ ମହାନଦୀ ବନ୍ୟା ଏବେ ଛାଡିଯାଇଛି, ଚାରିଆଡେ ଖାଁ ଖାଁ ଲାଗୁଛି । ହରଭଙ୍ଗା ଅଞ୍ଚଳରେ ପଚାପାଣି, କାଦୁଅରେ ଫାଟିପଡୁଛି ଦୁର୍ଗନ୍ଧ । ବନ୍ୟାରେ ୮ଶହ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହେବା ସହ ୬ଶହରୁ ଉର୍ଦ୍ଧ୍ୱ କଚ୍ଚାଘର ଭାଙ୍ଗିଥିବା ହରଭଙ୍ଗା ତହସିଲଦାର ହରିଓଁ ଭୋଇ ପ୍ରକାଶ କରିଛନ୍ତି । ସେହିପରି ବନ୍ୟାରେ ବୌଦ୍ଧ ପୂର୍ତ୍ତ ବିଭାଗର ରାସ୍ତା, ପୋଲ, କଲଭଟ୍ ଆଦି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଏଗୁଡିକ ମରାମତି କରିବା ପାଇଁ ୨କୋଟି ୫୦ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି ବୋଲି ବୌଦ୍ଧ ପୂର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ ଶାନ୍ତନୁ ନାଏକ ପ୍ରକାଶ କରିଛନ୍ତି ।

ସେହିପରି ଗ୍ରାମ୍ୟ ନିର୍ମାଣ ବିଭାଗର ରାସ୍ତା, କଲଭଟ୍ ଓ ସରକାରୀ କୋଠଘର ଆଦି ଲଗାଣ ବର୍ଷା ଓ ବନ୍ୟାରେ ବ୍ୟାପକ କ୍ଷତି ହୋଇଛି । ବିଭାଗ ପକ୍ଷରୁ ୩କୋଟି ୪୫ଲକ୍ଷ ଟଙ୍କାର ବନ୍ୟା କ୍ଷୟକ୍ଷତି ଅଟକଳ କରାଯାଇ ପ୍ରାଥମିକ ଭାବେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି ବୋଲି ବୌଦ୍ଧ ଗ୍ରାମ ନିର୍ମାଣ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ.ହୃଷିକେଶ ବରଳ ଓ ସରକାରୀ ଯନ୍ତ୍ରୀ ଇଂ. ବିବେକାନନ୍ଦ ସାହୁ ପ୍ରକାଶ କରିଛି । ସେହି କ୍ଷୁଦ୍ର ଜଳସେଚନ ବିଭାଗର ଶଗଠିଆ କ୍ଷୁଦ୍ରଜଳସେଚନ ପ୍ରକଳ୍ପର କେନାଲ ଓ ଚେକ୍‌ଡ୍ୟାମ୍ ଗୁଡିକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ବିଭାଗ ପକ୍ଷରୁ ୫୦ଲକ୍ଷ ଟଙ୍କା ଅଟକଳ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି ବୋଲି ନିର୍ବାହୀଯନ୍ତ୍ରୀ ଇଂ. ଗୁରୁପ୍ରସାଦ ପୃଷ୍ଟି ପ୍ରକାଶ କରିଛନ୍ତି ।

ସେହିପରି ହରଭଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକର ଗ୍ରାମ୍ୟରାସ୍ତା, ପୋଲ ଆଦି ଲଗାଣ ବର୍ଷା ଓ ବନ୍ୟାରେ ସର୍ବାଧିକ ୭କୋଟି ୫୦ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି । ଏ ବାବଦରେ ବୌଦ୍ଧ ଜିଲ୍ଲାପାଳଙ୍କ ରିପୋର୍ଟ ପ୍ରଦାନ କରାଯାଇଛି ବୋଲି ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା ପ୍ରକାଶ କରିଛନ୍ତି । ସେହି ବୌଦ୍ଧ ବନଖଣ୍ଡ ବିଭାଗର ହରଭଙ୍ଗା ବ୍ଲକ ଅଂଚଳରେ ବିଭିନ୍ନ ଅଂଚଳରେ ବନିକରଣ କରାଯାଇ ବହୁ ପରିମାଣରେ ଗଛ ଲଗାଯାଇଥିଲା । ପ୍ରବଳ ବର୍ଷା ଓ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ସବୁ ଅଂଚଳକୁ ବୌଦ୍ଧ ବନଖଣ୍ଡ ଅଧିକାରୀ ଡିଏଫ୍‌ଓ ଯଶୋବନ୍ତ ସେଠୀ ପରିଦର୍ଶନ କରିଛନ୍ତି । ଏଗୁଡିକ ପୁନଃଉଦ୍ଧାର କରାଯିବାକୁ ସେ କହିଛନ୍ତି । ଏଣୁ ରାଜ୍ୟ ସରକାର ତୁରନ୍ତ ଅନୁଦାନ ଯୋଗାଇ ଦେବାକୁ ଦାବି ହେଉଛି ।

Comments (0)
Add Comment